କ୍ରିକେଟକୁ ବାଏ ବାଏ ! ମାହିଙ୍କ ପାଇଁ ଚଳିତ ବିଶ୍ୱକପ ହୋଇପାରେ ଶେଷ ବିଶ୍ୱକପ୍ ?

456

କନକ ବ୍ୟୁରୋ: ଚଳିତ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଜଗତରୁ ବିଦାୟ ନେବେ ମହେନ୍ଦ୍ର ସିଂ ଧୋନୀ । ଏବେ ଜାତୀୟ ଗଣମାଧ୍ୟମରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ମୁତାବକ, ଚଳିତ ବିଶ୍ୱକପରେ ଯଦି ଭାରତ ଫାଇନାଲକୁ ଉନ୍ନିତ ହୁଏ ତେବେ, ତେବେ ଏହା ଧୋନୀଙ୍କ ପାଇଁ ବିଦାୟକାଳୀନ ମ୍ୟାଚ୍ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ବିସିସିଆଇର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଚଳିତ ବିଶ୍ୱକପ ପରେ ଧୋନୀ ଆଉ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ନଖେଳି ପାରନ୍ତି । ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଟେଷ୍ଟରୁ ଅବସର ନେଇ ସାରିଛନ୍ତି । ଏହାସହ ଦିନିକିଆ, ଟେଷ୍ଟ୍ ଓ ଟି-୨୦ ଭଳି ୩ଟି ଫର୍ମାଟରୁ ଅଧିନାୟକ ପଦକୁ ମଧ୍ୟ ନିଜେ ଛାଡ଼ି ଦେଇଛନ୍ତି । ସବୁଠାରୁ ବଡ଼କଥା ହେଲା କି, ଚଳିତ ବିଶ୍ୱକପ୍ ପରେ ଆସନ୍ତା ୨୦୨୦ରେ ଅଷ୍ଟ୍ରେଲିଆ ଠାରେ ଆଇସିସି ଟି-୨୦ ବିଶ୍ୱକପ ପ୍ରତିଯୋଗିତା ଆୟୋଜନ ହେବ । ତେଣୁ ଧୋନୀଙ୍କ ବଦଳରେ ନୂଆ ପ୍ରତିଭାଙ୍କୁ ଦଳରେ ସୁଯୋଗ ଦେବାକୁ ଚୟନକର୍ତ୍ତା କମିଟି ସବୁ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତି ନେଇପାରନ୍ତି ବୋଲି ବିସିସିଆଇ ବରିଷ୍ଠ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଯେତେବେଳେ ମିଡିଲ୍ ଅର୍ଡର ଏବଂ ଭାରତୀୟ ଟିମର ଭଲ ଫିନିସରଭାବେ ଧୋନୀଙ୍କ ଗୁରୁତ୍ୱ ଅଧିକ ରହିଥାଏ ସେତେବେଳେ ଧୋନୀ ତାହାକୁ ସଫଳ କରି ଦେଖାଇ ଆସିଛନ୍ତି । କିନ୍ତୁ ଚଳିତ ବିଶ୍ୱକପରେ ଧୋନୀ ୭ଟି ଇନିଂସରେ ୨୨୩ ରନ କରିଥିବାବେଳେ ୯୩,୦୫ ପ୍ରତିଶତ ଧର୍ଯ୍ୟପୂର୍ଣ୍ଣ ଷ୍ଟ୍ରାଇକରେଟ୍ ରହିଛି । ହେଲେ ବିଗତ ବର୍ଷମାନଙ୍କ ଖେଳରେ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଉ ଫ୍ୟାନ୍ସମାନେ ଦେଖିବାକୁ ପାଉନାହାନ୍ତି । ଯାହାକୁ ନେଇ ଅନେକ କ୍ରୀଡ଼ା ମହଲରେ ଧୋନୀଙ୍କୁ ସମାଲୋଚନା ମଧ୍ୟ ହେବାକୁ ପଡ଼ିଛି । ଏପରିକି ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍ ଓ ସୌରଭ ମଧ୍ୟ ଧୋନୀଙ୍କୁ ନେଇ ଆଗାମୀ ପ୍ରତିଯୋଗିତା ଗୁଡ଼ିକ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତା କରିବା ଆବଶ୍ୟକ ବୋଲି ମତ ରଖିଥିଲେ ।

ସେପଟେ ଧୋନୀଙ୍କ ଫିଟନେସ ଲେଭଲ ସମସ୍ତ ଖେଳାଳୀଙ୍କ ଠାରୁ ଭଲ ରହିଥାଏ । ତାଙ୍କର ଖେଳୁଆଡ ମନୋଭାବ ସର୍ବଦା ଦେଶବାସୀଙ୍କ ସହ କ୍ରିକେଟ୍ ଜଗତକୁ ଗୌରାବନ୍ୱିତ କରିଛି । ତେଣୁ ତାଙ୍କୁ ଏଯାବତ୍ ଅବସର ନେଇ କେହି ପ୍ରଶ୍ନ କରିନଥିଲେ ମଧ୍ୟ ସେ ଜାଣିଛନ୍ତି ଏହା ତାଙ୍କ ଶେଷ ବିଶ୍ୱକପ୍ ବୋଲି ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଜାତୀୟ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ।