ମୈଦାନକୁ କମବ୍ୟାକ ପାଇଁ ମାହିଙ୍କ କସରତ। ରାଞ୍ଚି ଷ୍ଟାଡିୟମରେ ଟେନିସ୍ ଖେଳାଳିଙ୍କ ସହ ଅଭ୍ୟାସ କରୁଥିବାର ନଜର ଆସିଲେ ଧୋନୀ

439

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ୩୮ ବର୍ଷୀୟ ଧୋନୀ କ୍ରିକେଟ ମୈଦାନକୁ ଫେରିବା ପାଇଁ ନିଜର ଫିଟନେସ ଉପରେ ଗୁରୁତ୍ୱ ଦେଉଛନ୍ତି । ନିଜକୁ ଫିଟ ରଖିବା ନିଜ ଗୃହରାଜ୍ୟ ରାଂଚିରେ ଝାଳ ବୁହାଉଛନ୍ତି । ଝାଡଖଣ୍ଡ ରାଜ୍ୟ କ୍ରିକେଟ ସଂଘ ଷ୍ଟାଡିୟମରେ ଟେନିସର ଯୁବ ଅର୍ନଜାତୀୟ ଖେଳାଳିଙ୍କ ସହ ଅଭ୍ୟାସ କରିବା ପରେ ସିଧାସଳଖ ଜିମକୁ ଯାଇଥିବା ଦେଖିବାକୁ ମିଳିଛି । ଧୋନୀ ଯେବେବି ନିଜ ହୋମଟାଉନରେ ରୁହନ୍ତି ସେତେବେଳେ ସେ ଷ୍ଟାଡିୟମକୁ ଯାଇ ଟେନିସ ଖେଳାଳିଙ୍କ ସହ ମିଶି ଅଭ୍ୟାସ କରିଥାନ୍ତି । ଧୋନୀଙ୍କ ସହ ଖେଳି ଯବୁ ଟେନିସ ଖେଳାଳି ମଧ୍ୟ ବେଶ ଖୁସି ଅନୁଭବ କରନ୍ତି ।

ଗତ ଜୁଲାଇରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ରେ ଭାରତ ସେମିଫାଇନାଲରୁ ବାହାର ହେବା ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବ୍ରେକ ନେଇଥିଲେ । ନିକଟରେ କାଶ୍ମୀରରେ ଟେରିଟୋରିୟାଲ ଆର୍ମି ୟୁନିଟ ସହ ୧୫ ଦିନର ଟ୍ରେନିଙ୍ଗ ବି ନେଇଥିଲେ । ରିପୋର୍ଟ ଅନୁଯାୟୀ ଧୋନୀ ଆସନ୍ତା ନଭେମ୍ବରରେ ବଂଲାଦେଶ ବିରୋଧରେ ଖେଳାଯିବାକୁ ଥିବା ଟି-୨୦ ସିରିଜରେ ଉପସ୍ଥିତ ରହିବେ ନାହିଁ । ଡିସେମ୍ବରରେ ୱେଷ୍ଟଇଣ୍ଡିଜ ବିରୋଧରେ ଧୋନୀ ଟି-୨୦ ସିରିଜ ଖେଳିପାରନ୍ତି । ସେଥିପାଇଁ ସେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି ।