କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହେବା ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଟି-୨-୦ ମହାକୁମ୍ଭ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ୧୫ ଜଣିଆ ଖେଳାଳିଙ୍କ ନାଁ ଘୋଷଣା ହୋଇଛି । ୧୫ ଖେଳାଳିଙ୍କ ବ୍ୟତୀତ ଯେଉଁ ନାଁ ଘୋଷଣା ହୋଇଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ହେଉଛନ୍ତି କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀ । ଟି-୨୦ ବିଶ୍ୱକପ୍ ପାଇଁ ତାଙ୍କୁ ମେଣ୍ଟର ଦାୟିତ୍ୱ ଦିଆଯାଇଛି ।
ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଓ ରଣନୀତି ପ୍ରସ୍ତୁତ କରିବାରେ ମାହିର କୁହାଯାଉଥିବା ମାହିଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ । କ୍ୟାପଟେନ୍ କୁଲ ଭାବେ ସେ ବେଶ୍ ଜଣାଶୁଣା । ସିମୀତ ଓଭରରେ ଧୋନୀଙ୍କ ଅନୁଭବ ଓ ଅଭିଜ୍ଞତା ଅନେକ ରହିଛି । କଠିନ ସମୟରେ କେମିତି ଖେଳାଯିବ ଧୋନୀଙ୍କୁ ବେଶ୍ ଭଲ ଭାବେ ଜଣା । ଅଧିନାୟକ ନଥିବା ବେଳେ ମଧ୍ୟ ପଡ଼ିଆରେ ବିରାଟ କୋହଲୀ କଠିନ ସମୟରେ ଧୋନୀଙ୍କ ମତ ନେଉଥିବା ଦେଖିବାକୁ ମିଳିଛି । ଧୋନୀଙ୍କ ନେତୃତ୍ୱରେ ୨୦୦୭ରେ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଏବେ ଧୋନୀଙ୍କୁ ମେଣ୍ଟର ଦାୟିତ୍ୱ ମିଳିବା ପରେ ଟିମ୍ ଇଣ୍ଡିଆ ୨୦୦୭ରେ କରିଥିବା କରିସ୍ମା ପୁଣି ଥରେ ୨୦୨୧ରେ କରିପାରେ ।
ଅଧିନାୟକ ଭାବେ ଧୋନୀ :
- ତିନିଟି ପ୍ରମୁଖ ସିରିଜ୍ ଜିତାଇଥିବା ଏକମାତ୍ର ଅଧିନାୟକ
- ୨୦୦୭ରେ ଧୋନୀଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଜିତିଥିଲା ଭାରତ
- ୨୮ ବର୍ଷ ପରେ ୨୦୧୧ରେ ଧୋନୀଙ୍କ ନେତୃତ୍ୱରେ ବିଶ୍ୱକପ୍ ବିଜୟୀ
- ୨୦୧୩ରେ ଧୋନୀଙ୍କ ଅଧିନାୟକତ୍ୱରେ ଚାମ୍ପିଅନ୍ସ ଟ୍ରଫି
- ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଖେଳିଛି ୩୩୨ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟଣ୍ଟ
- ୨୦୦ ଦିନିକିଆ, ୬୦ ଟେଷ୍ଟ ଓ ୭୨ଟି ଟି-୨୦ରେ ଧୋନୀ ଅଧିନାୟକ
- ଧୋନୀଙ୍କ ଅଧିନାୟକତ୍ୱରେ ୬ଟି ବଡ଼ ଟୁର୍ଣ୍ଣାମେଂଟର ଫାଇନାଲରେ ପହଂଚିଛି ଭାରତ
- ଅଧିନାୟକ ଭାବେ ୧୧୦ଟି ଦିନିକିଆ ଜିତାଇଛନ୍ତି ଧୋନୀ
ଧୋନୀଙ୍କ କ୍ୟାରିୟର :
- ୯୦ଟି ଟେଷ୍ଟ ମ୍ୟାଚ୍, ୩୫୦ଟି ଦିନିକିଆ ଓ ୯୮ଟି ଟି-୨୦
- ଟେଷ୍ଟରେ ୨୨୪ ଧୋନୀଙ୍କ ସର୍ବାଧିକ ସ୍କୋର
- ଦିନିକିଆରେ ୧୮୩ ଧୋନୀଙ୍କ ବେଷ୍ଟ ସ୍କୋର
- ୨୦୧୯ ବିଶ୍ୱକପ୍ ସେମିଫାଇନାଲ ଥିଲା ଧୋନୀଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍