କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମ କୋର୍ଟ ତରଫରୁ ନୋଟିସ କରାଯାଇଛି । ଆମ୍ରପାଲି ଗ୍ରୁପ ଓ ଧୋନୀଙ୍କ ମଧ୍ୟରେ ହୋଇଥିବା ୧୫୦ କୋଟି ଟଙ୍କା ନେଣଦେଣ ମାମଲାରେ ଏହି ନୋଟିସ ପଠାଯାଇଛି । ଏହି ମାମଲାରେ ବି ପୂର୍ବରୁ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା । କୁହାଯାଉଛି କି ଆମ୍ରପାଲି ଗ୍ରୁପ ତରଫରୁ ଧୋନୀଙ୍କୁ ୧୫୦ କୋଟି ଟଙ୍କା ଦେବାକୁ ଅଛି । ସେପଟେ ଗ୍ରୁପ ତରଫରୁ ଗ୍ରାହକମାନଙ୍କୁ ଏପର୍ଯ୍ୟନ୍ତ ଫ୍ଲାଟ ମିଳିନାହିଁ ।

Advertisment

ଆମ୍ରପାଲି ଗ୍ରୁପ ଓ ଧୋନୀଙ୍କ ମଧ୍ୟରେ ଲାଗିରହିଥିବା ଏହି ମାମଲା ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଚାଲିଥିଲା । ଏନେଇ ହାଇକୋର୍ଟ ତରଫରୁ ଏକ କମିଟି ଗଠନ କରାଯାଇଥିଲା । ଅବସରପ୍ରାପ୍ତ ଜଷ୍ଟିସ ବୀଣା ବିରବଲଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ମାମଲାର ସମାଧାନ କରିବା କଥା ।

ସେପଟେ କମିଟି ଉପରେ ଭରଶା ନକରି ପିଡୀତମାନଙ୍କ ଦ୍ୱାରା ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ପୀଡିତ ମାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା କି ଆମ୍ରପାଲି ଗ୍ରୁପ ପାଖରେ ଅର୍ଥର ଅଭାବ ଥିବାରୁ ସେମାନଙ୍କ ଦ୍ୱାରା ବୁକ୍ କରାଯାଇଥିବା ଫ୍ଲାଟ ଏପର୍ଯ୍ୟନ୍ତ ପାଇପାରି ନାହାଁନ୍ତି ।

ପୀଡିତଙ୍କ ପକ୍ଷରୁ କୁହାଯାଇଥିଲା କି , ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଯେଉଁ କମିଟି ଗଠନ କରାଯାଇଥିଲା ସେହି କମିଟି ପାଖରେ ଧୋନୀ ନିଜର ବକେୟା ୧୫୦ କୋଟି ଟଙ୍କା ପାଇବାକୁ ଆବେଦନ କରିଥିଲେ । ମହେନ୍ଦ୍ରସିଂ ଧୋନୀ ଆମ୍ରପାଲି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ । ଏହି ବାବଦରେ ତାଙ୍କୁ ଗ୍ରୁପ ତରଫରୁ ୧୫୦ କୋଟି ଟଙ୍କା ପ୍ରଦାନ କରାଯିବାର ଥିଲା । ଏହାକୁ ନେଇ ପୀଡିତମାନେ ଅଭିଯୋଗ କରିଥିଲେ କି ଯଦି ଆମ୍ରପାଲି ଗ୍ରୁପ ଧୋନୀଙ୍କୁ ୧୫୦ କୋଟି ଟଙ୍କା ବକେୟା ପାଉଣା ପ୍ରଦାନ କରୁଛି ତେବେ ସେମାନଙ୍କୁ ଫ୍ଲାଟ ଯୋଗାଇଦେବାକୁ ଅକ୍ଷମ ହେବ ଆମ୍ରପାଲି ଗ୍ରୁପ ।

ଏହି କାରଣରୁ ଏବେ ସୁପ୍ରିମକୋର୍ଟ ତରଫରୁ ମହେନ୍ଦ୍ରସିଂ ଧୋନୀ ଓ ଆମ୍ରପାଲି ଗ୍ରୁପକୁ ନୋଟିସ କରାଯାଇ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସୁପ୍ରିମ କୋର୍ଟ ତରଫରୁ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଗଠିତ ହୋଇଥିବା କମିଟିର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛି ।