ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ମହାବିନାୟକ ପୀଠ । ଝରଣାର କୁଳୁକୁଳ ନାଦ, ମାଙ୍କଡ ଓ ପକ୍ଷୀଙ୍କ କଳରବ ପରିବେଶକୁ କରୁଛି ଆହୁରି ମନୋରମ । ବର୍ଷକ ବାରମାସ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ

1,353

କନକ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ମହାବିନାୟକ ପୀଠ । ବଣ ପାହାଡ ଘେରା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଚଣ୍ଡିଖୋଲର ଏହି ପୀଠରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଝରଣାର କୁଳୁକୁଳ ନାଦ, ମନୋରମ ପରିବେଶ, ମାଙ୍କଡ ଓ ପକ୍ଷୀଙ୍କ କଳରବ ପରିବେଶକୁ ଆହୁରି ମନୋରମ କରୁଛି । ଏଥିପାଇଁ ତ ଶୀତ ଦିନ ଆସିଲେ ମହାବିନାୟକ ପୀଠକୁ ଛୁଟେ ପର୍ଯ୍ୟଟକଙ୍କ ସୁଅ ।

ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଦେଇ ଯାଇଥିବା ୨ଶହ ନମ୍ବର ଜାତୀୟ ରାଜପଥ କଡରେ ଶୋଭା ପାଉଛି ବାରୁଣାବନ୍ତ ପର୍ବତ । ଏହି ପର୍ବତର ସବୁଜ ଅରଣ୍ୟାନି ଭିତରେ ପୂଜା ପାଉଛନ୍ତି ଆଦି ଦେବତା ଗଜାନନ । ଓଡିଶାର ପଂଚ ପୀଠ ମଧ୍ୟରୁ ଅନ୍ୟତମ ମହାବିନାୟକ କ୍ଷେତ୍ର । ଗଣେଷ, ଭାସ୍କର, ବିଷ୍ନୁ, ଶିବ, ଦୁର୍ଗା ଏହି ଗୋଟିଏ ପୀଠରେ ପୂଜା ପାଉଛନ୍ତି । ବଡି ଭୋରରୁ ପ୍ରଭୁଙ୍କର ପହଡ ଖୋଲାଯାଇ ବିଭିନ୍ନ ନିତୀକାନ୍ତି ହେବା ସହ ପାଶ୍ୱର୍ ଦେବାଦେବୀଙ୍କ ପୂଜାର୍ଚନା କରାଯାଏ ।

ଓଡିଶାର ଶୈଳ ନିବାସ କୁହାଯାଉଥିବା ମହାବିନାୟକ ପୀଠ ଓଡିଶା ପର୍ଯ୍ୟଟନ ମାନଚିତ୍ରର ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି । ବର୍ଷକ ବାରମାସ ଏହି ପୀଠରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ ଓ ଅନ୍ୟାନ୍ୟ ସୁବିଧା ରହିଛି । ଏଠାରେ ଥିବା ମାଙ୍କଡ ପର୍ଯ୍ୟଟକମାନଙ୍କର ଯାତ୍ରାକୁ ଆହୁରି ରୋମାଂଚକର କରିଥାନ୍ତି । ତେବେ ଏହି ପର୍ଯ୍ୟଟନ ସ୍ଥଳିର ଆହୁରି ଅଧିକ ବିକାଶ ଆବଶ୍ୟକ । ହେଲେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ ବୋଲି କୁହାଯାଉଛି ।

ମହାବିନାୟକ ମନ୍ଦିର ଥିବା ବାରୁଣାବନ୍ତ ପାହାଡକୁ ନେଇ କିଛି ପୌରାଣିକ ତଥ୍ୟ ରହିଛି । କୁହାଯାଏ, ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ବାରୁଣାବନ୍ତ ପାହାଡରେ ଆତ୍ମଗୋପନ କରିଥିଲେ । ୫ଶହ ବର୍ଷର ପୁରୁଣା ଏହି ମନ୍ଦିର ରାଜା ପ୍ରତାପରୁଦ୍ର ଦେବଙ୍କ ଶାସନ ସମୟର ବୋଲି କୁହାଯାଏ ।