କନକ ବ୍ୟୁରୋ : ଅନୁଗୁଳ ପାଳଲହଡ଼ାରେ ଅବହେଳିତ ଗାନ୍ଧୀ ମନ୍ଦିର । ରାଜପଥ କଡ଼ରେ ବଣବୁଦା ଭିତରେ ରହିଛି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି । ୧୯୬୪ ମସିହାରେ ଏହି ଗାନ୍ଧୀ ମନ୍ଦିର ନିର୍ମାଣ କରିଥିଲେ ସ୍ବାଧିନତା ସଂଗ୍ରାମୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ । କିନ୍ତୁ ଅବହେଳା ଯୋଗୁଁ ଏହା ଭାଙ୍ଗିରୁଜି ଯାଇଥିଲା । ମନ୍ଦିରରୁ ଗାନ୍ଧୀ ମୂର୍ତ୍ତି ମଧ୍ୟ ଗାୟବ ହୋଇଯାଇଥିଲା । ଏନେଇ ପୂର୍ବରୁ ସମ୍ବାଦ ଓ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ୨୦୧୬ ମସିହାରେ ତତ୍କାଳୀନ ବିଧାୟକ ମହେଶ ସାହୁ ବିଧାୟକ ପାଣ୍ଠିରୁ ୮ ଲକ୍ଷ ଟଙ୍କା ବ୍ୟୟରେ ମରାମତି ସହ ମୂର୍ତ୍ତୀ ସ୍ଥାପନ କରିଥିଲେ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଜଙ୍ଗଲରେ ପରିଣତ ହୋଇଛି । ନାଁ ମରାମତି ଦିଗରେ କେହି ଧ୍ୟାନ ଦେଉଛନ୍ତି ନା ପ୍ରତିମୂର୍ତ୍ତିରେ ଚୂନ ମରାଯାଉଛି । କେବଳ ସ୍ବାଧୀପତା ଦିବସ ଆସିଲେ ଫୁଲମାଳ ପକାଇ କାମ ସାରିଦିଅନ୍ତି ସ୍ଥାନୀୟ ନେତା । ଆଜି ୭୮ତମ ସ୍ବାଧିନତା ଦିବସ ଅବସରରେ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି । ଖୁବଶୀଘ୍ର ଏହାର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।