ଓଡ଼ିଶାର ପ୍ରତି ଜିଲ୍ଲାରେ ଗାନ୍ଧୀଙ୍କ ନାମରେ ହେବ ରାସ୍ତା । ଗାନ୍ଧୀ ଜୟନ୍ତୀରୁ ‘ଲୋକକଳା ଗ୍ରାମ’ର ଶୁଭାରମ୍ଭ, ବ୍ଲକ୍ ସ୍ତରରେ ହେବ ନାଟ୍ୟ ମଣ୍ଡପ ।

437

କନକ ବ୍ୟୁରୋ : ଲୋକକଳାକୁ ତୃଣମୂଳ ସ୍ତରରେ ଗୁରୁତ୍ବାରୋପ ପୂର୍ବକ ଗାନ୍ଧୀ ଜୟନ୍ତୀରୁ ‘ଲୋକକଳା ଗ୍ରାମ’ର ଶୁଭାରମ୍ଭ ହେବ । ଏନେଇ ୨୪ଟି ଲୋକକଳା ଗ୍ରାମ ଚିହ୍ନଟ ହୋଇସାରିଛି । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ ଜିଲ୍ଲାର ଏକ ନିର୍ଦିଷ୍ଟ ମାର୍ଗକୁ ଗାନ୍ଧୀଙ୍କ ନାମରେ ନାମିତ କରାଯିବା ସହ ପ୍ରତିମୂର୍ତି ସ୍ଥାପନ ହେବ । ଜିଲ୍ଲା ସଂସ୍କୃତି ଅଧିକାରୀମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ମାର୍ଗ ଚୟନ କରିବେ । ନାଟ୍ୟ କ୍ଷେତ୍ରକୁ ବିସ୍ତୃତ କରିବା ପାଇଁ ବ୍ଲକ୍‌ ସ୍ତରରେ ନାଟ୍ୟ ମଣ୍ଡପ ପ୍ରତିଷ୍ଠା ହେବ । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନେଇ ଆୟୋଜିତ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଓ ନିରବଚ୍ଛିନ୍ନ ଉଦ୍ୟମ କରିବା ପାଇଁ ସଂସ୍କୃତି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଭାଗୀୟ ପ୍ରମୁଖ ଶାସନସଚିବ ମନୋରଂଜନ ପାଣିଗ୍ରାହୀ ଭାଗବତ ଟୁଙ୍ଗୀ ସ୍ଥାପନ ସମ୍ପର୍କରେ ସୂଚନା ଦେଇ କହିଥିଲେ, ୨୦୧୪-୧୫ ମସିହାରୁ ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ଓ ପ୍ରତିଷ୍ଠା ପାଇଁ ଯୋଜନା ହାତକୁ ନିଆଯାଇଥିବା ବେଳେ ପ୍ରାରମ୍ଭରେ ୩୬୦୦ ଟୁଙ୍ଗୀ ପ୍ରଚଳନ ଓ ନବାକ୍ଷରୀ ଭାଗବତ ପଠନ ପାଇଁ ନିଷ୍ପତ୍ତି ହୋଇଥିଲା । ୨୦୧୭ ମସିହାରେ ଏହା ୭୨୦୦କୁ ବୃଦ୍ଧି କରାଗଲା । ପୂର୍ବରୁ ଭାଗବତ ଟୁଙ୍ଗୀକୁ ୨୫ ହଜାର ଟଙ୍କା ଅନୁଦାନ ମିଳୁଥିବା ବେଳେ ଏହା ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିବା ସେ କହିଥିଲେ । ଏହି ସମ୍ମିଳନୀରେ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ, ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ, ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ ଓ ମନସ୍ବିନୀ ସାହୁଙ୍କ ସମେତ ସମସ୍ତ ଜିଲ୍ଲାର ସଂସ୍କୃତି ଅଧିକାରୀ ଓ କଳାକାର ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ ।