ନରେଗା ଓ ସହରାଂଚଳ ରୋଜଗାର ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

ଦୁଇ ଯୋଜନାରେ ୨୦ କୋଟି ମାନବ ଦିବସ ସୃଷ୍ଟି ଲକ୍ଷ୍ୟ

78

କନକ ବ୍ୟୁରୋ: ମହାତ୍ମା ଗାନ୍ଧୀ ନରେଗା କିମ୍ବା ରାଜ୍ୟ ସରକାରଙ୍କ ସହରାଂଚଳ ରୋଜଗାର ଯୋଜନାରେ ମଜୁରି ଦେବାରେ ବିଳମ୍ବ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସମୀକ୍ଷା କରି ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଇଟି ଯୋଜନା ଜରିଆରେ ଚଳିତ ଆର୍ଥିକ ବର୍ଷରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେଣୁ ହିତାଧିକାରୀମାନେ ଯେଭଳି ଠିକ ସମୟରେ ସେମାନଙ୍କ ମଜୁରୀ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବା ସହ ମୋ ସରକାର ଫ୍ଲାଟଫର୍ମ ଜରିଆରେ ହିତାଧିକାରୀଙ୍କୁ ନିୟମିତ ଫୋନ କରି ମଜୁରୀ ବିଷୟରେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏପରିକି ଆଗାମୀ ଜାନୁଆରୀ ପହିଲାରୁ ଏହି ରୋଜଗାର ଯୋଜନା ସଂପର୍କରେ ଫିଡବ୍ୟାକ ପାଇଁ ସ୍ୱତନ୍ତ୍ର ଭାବରେ ମୋ ସରକାର ସେଲ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ଜିଲ୍ଲାଗୁଡିକରେ ଲୋକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି ସେହିସବୁ ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ କୁହାଯାଇଛି । ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନପାଏ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।