ଶିବମୟ ପୁରପଲ୍ଲୀ, ଉତ୍ସବମୁଖର ସମସ୍ତ ଶୈବପୀଠ

ଶିବମୟ ପୁରପଲ୍ଲୀ, ଉତ୍ସବମୁଖର ସମସ୍ତ ଶୈବପୀଠ

କନକ ବ୍ୟୁରୋ: ମହାଦେବଙ୍କ ପବିତ୍ର ଜାଗର ଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇପଡିଛି ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ସମସ୍ତ ଶୈବପୀଠ । ଦେଶର ପ୍ରସିଦ୍ଧ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଓ ପୂଜାର୍ଚ୍ଚନାରେ ଭକ୍ତମୟ ପରିବେଶ ସୃଷ୍ଟି ହୋଇଛି ।

ଜାଗର ଯାତ୍ରା ପାଇଁ ଚଳଞ୍ଚଳ ଏକ୍ରାମକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର । ରଙ୍ଗୀନ ଆଲୋକମାଳା ଝଲସୁଛି ମହାଦେବଙ୍କ ପୀଠ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ଜାଗର ପୂର୍ବରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଭୋରରୁ ଲାଗିଛି ଭକ୍ତଙ୍କ ଲମ୍ବାଧାଡି । ଗୁପ୍ତେଶ୍ୱରଙ୍କୁ ଦର୍ଶନ କରି ଆଶିର୍ବାଦ ନେବାକୁ ରାଜ୍ୟ ତଥା ବାହାର ରାଜ୍ୟର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କଟକ ଧବଳେଶ୍ୱର ପୀଠରେ ମଧ୍ୟ ଧୁମଧାମରେ ପାଳିତ ହେଉଛି ମହାଶିବରାତ୍ରି । ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଏଥର ଝୁଲା ପୋଲ କି ଡଙ୍ଗା ଯୋଗେ ନୁହେଁ ମହାନଦୀ ଭିତରେ ନିର୍ମାଣ ଅସ୍ଥାୟୀ ରାସ୍ତା ଦେଇ ପୀଠକୁ ଯାଉଛନ୍ତି ଭକ୍ତ । ସେପଟେ ଢେଙ୍କାନାଳର କପିଳାସ ମନ୍ଦିର ଓ ପୁରୀର ଲୋକନାଥ ମନ୍ଦିରରେ ମଧ୍ୟ ମହାଦେବଙ୍କ ପୂଜାର୍ଚ୍ଚନା କରି ଆଶିର୍ବାଦ ନେବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଅଷ୍ଟଶମ୍ଭୁଙ୍କର ସହର ସୋନପୁରରେ ମହାସମାରୋହରେ ପାଳିତ ହେଉଛି ମହାଶିବରାତ୍ରି । ତେଲନଦୀ ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଙ୍ଗମରେ ସ୍ନାନ କରି ସୁବର୍ଣ୍ଣମେରୁ ପୀଠରେ ବାବା ଭୋଳାନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ମୟୂରଭଞ୍ଜର ନସ୍କୋରିଆ ଶୈବପୀଠରେ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ପାହାଡ ଉପରେ ବିରାଜମାନ ଦେବ ଦେବ ମହାଦେବ । ବିପଦସଙ୍କୁଳ ଭାବେ ଦୀର୍ଘ ୧୮ଶହ ଫୁଟ ପାହାଡ ଚଢି ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରି ଭୋଳାନାଥଙ୍କ ଆଶିର୍ବାଦ ନେଉଛନ୍ତି । ବିଶ୍ୱାସ ଓ ଭକ୍ତି ଆଗରେ ପାହାଡ ଚଢା କଷ୍ଟ ମଧ୍ୟ ଭୁଲି ହୋଇଯାଉଛି । ବାଲେଶ୍ୱରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦୀପଦାନ କରି ଠାକୁରଙ୍କୁ ପୂଜାର୍ଚ୍ଚନା କରି ମଙ୍ଗଳକାମନା କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ଜାଗର ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇପଡିଛି ଭଦ୍ରକର ଆଖଣ୍ଡଳମଣି ପୀଠ । ଧାଡିବାନ୍ଧି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇ ମହାଦେବଙ୍କ ଦର୍ଶନ କରି ଆଶିର୍ବାଦ ନେଉଛନ୍ତି । ପବିତ୍ର ମହାଶିବରାତ୍ରୀକୁ ନେଇ ଶିବମୟ ହୋଇଯାଇଛି ସାରା ଦେଶ । ଭାରତ ପ୍ରମୁଖ ଶୈବପୀଠ ଗୁଡିକରେ ଧୁମଧାମରେ ଜାଗର ଯାତ୍ରା ପାଳିତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe