କନକ ବ୍ୟୁରୋ : ଶ୍ରୀବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରି ଉପଲକ୍ଷେ ଲର୍ଡ ବ୍ରହ୍ମେଶ୍ୱରଦେବ ଟେମ୍ପୁଲ୍ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ରହ୍ମେଶ୍ୱର ମନ୍ଦିର ପରିସରରେ ଭଜନ ସମାରୋହ କରାଯିବ । ଚଳିତବର୍ଷ ବ୍ରହ୍ମେଶ୍ୱର ପାଟଣାରେ ମୁମ୍ବାଇର ଖ୍ୟାତାନାମା କଳାକାର ଅନିଲ ବାୱରା, ପାମଲା ଜୈନ୍ଙ୍କ ସମେତ ପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତି, କୁମାର ବାପି, ଶୈଳଭାମା ମହାପାତ୍ର ପ୍ରମୁଖ ଭଜନ ପରିବେଷଣ କରିବେ । ପୂର୍ବତନ କର୍ପୋରେଟର୍ ତଥା ମ୍ୟାନେଜିଂ ଟ୍ରଷ୍ଟି ସଭ୍ୟ ମଳୟ ମହାପାତ୍ରଙ୍କ ସଂଯୋଜନାରେ ମନ୍ଦିର ଟ୍ରଷ୍ଟି ତଥା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ। ସଂଧ୍ୟା ସାଢ଼େ ୬ଟାରୁ ଭଜନ ସମାରୋହ ଆରମ୍ଭ ହେବ।
ମହାଶିବରାତ୍ରି ଦିନ ବ୍ରହ୍ମେଶ୍ୱର ମନ୍ଦିରରେ ଭୋର୍ ସାଢ଼େ ୪ଟାରୁ ଓ ସଂଧ୍ୟା ସାଢ଼େ ୬ଟାରୁ ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ କରିହେବ। ସୁରକ୍ଷା ପାଇଁ ଚଳିତ ବର୍ଷ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୧୧ଟି ସିସିଟିଭି କ୍ୟାମେରା ଲଗାଯାଇଛି। ସେହିପରି ୧୦ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଟଙ୍କପାଣି ରୋଡ୍ସ୍ଥିତ ମେଘେଶ୍ବର ମନ୍ଦିରରେ ମଧ୍ୟ ଜାଗର ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୧ ତାରିଖ ଭୋର୍ ୩ଟା ୩୦ରେ ମଙ୍ଗଳ ଆଳତି କରାଯିବ। ସନ୍ଧ୍ୟାରେ ଭଜନ ପରିବେଷଣ କରାଯିବ। ସନ୍ଧ୍ୟା ୫ଟାରେ ଚତୁର୍ଥ ପୂଜା ପରେ ରାତି ୧୦ଟା ୧୦ରେ ମହାଦୀପ ଉଠିବ। ଏହା ପରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
ଜାଗର ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ମେଘେଶ୍ବର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଜାଗର ଉତ୍ସବକୁ ସୁରୁଖୁରୁରେ ପରିଚାଳନା କରିବାକୁ ଶ୍ରଦ୍ଧାଳୁମାନେ ସହଯୋଗ କରିବାକୁ ପୂର୍ବତନ କର୍ପୋରେଟର୍ ତଥା ମେଘେଶ୍ବର ମନ୍ଦିର ପରିଚାଳନା କମିଟି ସଭାପତି ଅେଶାକ ସିଂହ ଓ ସମ୍ପାଦକ ବାସୁଦେବ ଦାସ ନିବେଦନ କରିଛନ୍ତି। ଅପରପକ୍ଷେ ଆଜି ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ୨ ମନ୍ଦିର ବୁଲି ପ୍ରସ୍ତୁତି ତଦାରଖ କରିଥିଲେ। ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣର ସମୀକ୍ଷା କରିବା ସହ ମନ୍ଦିର ଟ୍ରଷ୍ଟିମାନଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ସହ ଏସିପି ରଜତ ରାୟ, ବଡଗଡ଼ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ଉପସ୍ଥିତ ଥିଲେ।