ଆଜି ମହାଶିବରାତ୍ରୀ ! ରାଜ୍ୟର ପ୍ରମୁଖ ଶୈବପୀଠରେ ଚାଲିଛି ଶିବଙ୍କ ଆରାଧନା

ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

131

କନକ ବ୍ୟୁରୋ :ଆଜି ମହାଶିବରାତ୍ରୀ । ଜାଗର ପାଇଁ ଚଳଚଂଚଳ ସାରା ଓଡିଶାର ସମସ୍ତ ଶୈବ ପୀଠ ରେ ଜମିଲାଣି ଗହଳି । ଛୁଟିଲାଣି ପର‌୍ୟ୍ୟଟକଙ୍କ ଭିଡ । ଆଜି ଉଜାଗର ହେବ ଏକାମ୍ର କ୍ଷେତ୍ର । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ହଜାର ଶ୍ରଦ୍ଧାଳୁ ପହଁଚିଲେଣି । ଚାଲିଛି ଦେବ ଦେବ ମହାଦେବଙ୍କ ଦର୍ଶନ । ରାତି ପ୍ରାୟ ୧୦ଟାରେ ମହାଦୀପ ଉଠିବ । ତେବେ ପାହାନ୍ତିଆରୁ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ରାତି ୩ଟାରୁ ଠାକୁରଙ୍କ ମଙ୍ଗଳ ଆଳତି ଓ ଅବକାଶ ହେବା ପରେ ଚାଲିଛି ସାହାଣମେଲା ଦର୍ଶନ । ଧିରେ ଧିରେ ଗହଳି ବଢିବାରେ ଲାଗିଛି ।

ସାରା ଓଡିଶା ଏପରିକି ଓଡିଶା ବାହାରୁ ମଧ୍ୟ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ବ୍ୟାରିକେଡରେ ଯାଇ ମହାଦେବଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ମନ୍ଦିର ପରିସରରେ ଭୋରରୁ ଆରମ୍ଭ ହୋଇଛି ଭଜନ ସମାରୋହ । ସେହିପରି ୬୦ ହଜାର ଭକ୍ତଙ୍କ ପାଇଁ ଅବଢା ପ୍ରସ୍ତୁତ କରାଯିବ । ଆଇନଶୃଙ୍ଖଳା ଦୃଷ୍ଟିରୁ ମନ୍ଦିରକୁ ଜଗି ରହିଛନ୍ତି ୩୦ ପ୍ଲାଟୁନ୍ ପୋଲିସ । ୩ଟି ଜାଗାରେ ପାର୍କିଂର ବ୍ୟବସ୍ଥା କରାଯାଇଛି । ସିସିଟିଭି ଲାଗିଛି । ବର୍ତମାନ ଯାଏଁ ସବୁ ସୁରୁଖୁରୁରେ ଚାଲିଛି । ତେବେ ସନ୍ଧ୍ୟାରେ ଭିଡ ଅସଂଖ୍ୟ ଭାବେ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ସେପଟେ ଶିବ ପଂଚାକ୍ଷରରେ କମ୍ପୁଛି ସବୁ ଶୈବପୀଠ । ରାଜ୍ୟର ପ୍ରମୁଖ ଶୈବପୀଠରେ ଭୋର୍ ସକାଳୁ ଭକ୍ତଙ୍କ ଅଂସଖ୍ୟ ଭିଡ ଜମିଲାଣି । ଲୋକନାଥ, ଧବଳେଶ୍ୱର, ବ୍ରହ୍ମେଶ୍ୱର, ଲଡୁବାବା, ମାର୍କେଣ୍ଡେଶ୍ୱର ଭଳି ପୀଠରେ ପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡି ଲାଗିଛି । ପ୍ରାୟ ସବୁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳୁ ସକାଳୁ ମହାଦେବଙ୍କ ନୀତିକାନ୍ତି ଚାଲିଛି । ପ୍ରାୟ ସମସ୍ତ ମନ୍ଦିରରେ ରାତି ୯ଟା ପରେ ମହାଦୀପ ଉଠିବ ।