ଆଜି ମହାଶିବରାତ୍ରୀ : କୋଭିଡ କଟକଣା ଭିତରେ ପାଳନ ହେବ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା : ରାତି ୧୦ଟାରେ ଉଠିବ ମହାଦୀପ

ସେପଟେ କଟକର ଧବଳେଶ୍ୱର ଓ ଭଦ୍ରକ ଆରଡି ପୀଠରେ ଜାରି ହେବ ୧୪୪ ଧାରା; କଟକଣା ଭିତରେ ପାଳନ ହେବ ପୁରୀ ଲୋକନାଥଙ୍କ ଜାଗର ଯାତ୍ରା 

191

କନକ ବ୍ୟୁରୋ : ଆଜି ଜାଗର । କରୋନା ଭିତରେ ଜାଗର କେମିତି ପାଳନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ପ୍ରଶାସନ କହିଛି ସୁରୁଖୁରୁରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରାଯିବ । ପୂର୍ବରୁ ଯାହା ନିତି ନିର୍ଘଂଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ମନ୍ଦିର ଭିତରେ କୋଭିଡ଼ ନିୟମ ମାନି ଦୀପ ଜାଳିବେ ଶ୍ରଦ୍ଧାଳୁ । ଧାଡ଼ି ଦର୍ଶନ ମଧ୍ୟ ହେବ । ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତ ବର୍ଷ ହେବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଦୀର୍ଘ ବର୍ଷ ହେଲା ନିୟମ ଭଙ୍ଗା ଯାଉଥିବା ବେଳେ ଏବର୍ଷ ହେବ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ହେଲା କୋଭିଡ କଟକଣା ଭିତରେ ଭକ୍ତମାନେ ନିୟମ ମାନି ଦୀପ ଜାଳିବା । ତେଣୁ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୦ ବରିଷ୍ଠ ପୋଲିସ ଅଧିକାରୀ, ୫ଜଣ ଅତିରିକ୍ତ ଡିସିପି , ୧୩ଜଣ ଏସସିପି, ୧୭ଜଣ ଇନସ୍ପେକ୍ଟର ଓ ୮୬ ଜଣ ସବଇନସ୍ପେକ୍ଟର । ଭକ୍ତମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସେମାନଙ୍କ ସହଯୋଗ କାମନା କରିଛି ପୋଲିସ ।

ଅପରାହ୍ନରେ କମିଶନରେଟ ପୋଲିସ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଏମସି ଏବଂ ମନ୍ଦିରର ବିଭିନ୍ନ ନିଯୋଗ ଅଂଶଗ୍ରହଣ କରିଥିଲେ । କରୋନା କଟକଣା ଭିତରେ ଆସନ୍ତାକାଲି ପାଳନ ହେବ ଶିବରାତ୍ରୀ । ଏଥିପାଇଁ ସବୁ ଶୈବପୀଠରେ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ଜାଗର ଯାତ୍ରା ପାଇଁ ରୁଟ ନମ୍ବର ୩୨ରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିରକୁ ମୋ ବସ ସେବା ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ।