ପ୍ରସିଦ୍ଧ ଏମଡିଏଚ୍ ମସଲା କମ୍ପାନିର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କୁ ଗଣତନ୍ତ୍ର ଦିବସ ଅବସରରେ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଟ୍ରେଡ ଓ ଇଣ୍ଡଷ୍ଟ୍ରୀ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିବାରୁ ଧର୍ମପାଲ ଗୁଲାଟିଙ୍କୁ ପଦ୍ମଭୂଷଣ ପୁରସ୍କାର ଦିଆଯାଇଛି । ତେବେ ଭାରତର ଘରେ ଘରେ ପରିଚିତ ଏମଡିଏଚ ମସଲାର ମାଲିକ ଗୁଲାଟିଙ୍କୁ ଏହି ସଫଳତା ଏତେ ସହଜରେ ମିଳିନାହିଁ । ମାତ୍ର ୧୫୦୦ ଟଙ୍କାରୁ ୨୦୦୦ କୋଟି ଟଙ୍କାର କମ୍ପାନି ଛିଡା କରିଥିବା ଧର୍ମପାଲ ଗୁଲାଟିଙ୍କ କାହାଣୀ ମଧ୍ୟ ବେଶ ମଜାଦାର । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାକିସ୍ତାନରୁ ଭାରତ ଆସି ଏଠାରେ ଏତେ ବଡ ମସଲା କମ୍ପାନିର ମାଲିକ ହେବା ଧର୍ମପାଲ ଗୁଲାଟିଙ୍କ ପାଇଁ ଏତେ ସହଜ ନଥିଲା ।
୧୫ ଅଗଷ୍ଟ ୧୯୪୭ରେ ବ୍ରିଟିଶ ଶାସନରୁ ସ୍ୱାଧୀନ ହୋଇଥିଲା ଭାରତ । ତେବେ ସ୍ୱାଧୀନତା ଦେବା ସହ ବ୍ରିଟିଶ ମାନେ ଯେଉଁ ବିଭାଜନର ମଞ୍ଜି ବୁଣି ଦେଇ ଯାଇଥିଲେ ସେଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବରବାଦ ହୋଇଯାଇଥିଲା । ଚାରିଆଡେ ମାରପିଟ ସାଙ୍ଗକୁ ଲୋକ ମାନଙ୍କର ଆର୍ତ୍ତ ଚିକ୍ରାର ଶୁଣିବାକୁ ମିଳୁଥିଲା । କାରଣ ହିନ୍ଦୁସ୍ତାନ ବିଭାଜନ ହୋଇ ଭାରତ ଓ ପାକିସ୍ତାନ ହୋଇଯାଇଥିଲା । ଆଉ ଏହାର ପ୍ରଭାବ ଲକ୍ଷ ଲକ୍ଷ ପରିବାର ଉପରେ ପଡିଥିଲା । ଯେଉଁଥିରେ ଧର୍ମପାଲ ଗୁଲାଟିଙ୍କ ପରିବାର ମଧ୍ୟ ସାମିଲ ଥିଲା । ରୋଜଗାର ଅନ୍ୱେଷଣରେ ପାକିସ୍ତାନରୁ ଦିଲ୍ଲୀ ଚାଲିଆସିଥିଲେ ଧର୍ମପାଲ ଗୁଲାଟି । ଆଉ ଦିଲ୍ଲୀରେ ପହଞ୍ଚିବା ପରେ ଘୋଡା ଗାଡି ଚଳାଇବା ଆରମ୍ଭ କରିଥିଲେ ଗୁଲାଟି ।
ବାପାଙ୍କ ଠାରୁ ଆଣିଥିବା ୧୫୦୦ ଟଙ୍କାରୁ ୬୫୦ ଟଙ୍କାରେ ଘୋଡା ଗାଡି କିଣିବା ସହ ଦିଲ୍ଲୀର ଷ୍ଟେସନରେ ଏହାକୁ ଚଳାଇବା ଆରମ୍ଭ କରିଥିଲେ । କିନ୍ତୁ ପାକିସ୍ତାନରୁ ଦିଲ୍ଲୀ ଆସି ଘୋଡା ଚଳାଇବା ବୋଧେ ନିୟତିକୁ ପସନ୍ଦ ନଥିଲା । ଆଉ ସେଥିପାଇଁ ତ ଘୋଡାଗାଡି ନିଜ ଭାଇକୁ ଦେଇ କରୋଲାବାଗର ଅଜମଲ ଖାଁ ରୋଡରେ ସିଆଲକୋଟରୁ ମସଲା ଆଣି ବିକ୍ରି କରିବା ଆରମ୍ଭ କରିଥିଲେ ଗୁଲାଟି । ଆଉ ଗୁଲାଟିଙ୍କ ମସଲା ଲୋକଙ୍କର ଏତେ ପସନ୍ଦ ହୋଇଗଲା ଯେ ୬୦ ଦଶକରେ ପାଲ ତଳେ ଆରମ୍ଭ ହୋଇଥିବା ଏହି ଦୋକାନ ଦିଲ୍ଲୀର ପ୍ରତିଷ୍ଠିତ ଦୋକାନ ଭାବେ ଉଭା ହୋଇସାରିଥିଲା ।
ଆଉ ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟବସାୟ ଆରମ୍ଭ କରିଥିଲେ ମହାଶୟ ଧର୍ମପାଲ ଗୁଲାଟି । ୧୯୫୯ ମସିହାରେ ଦିଲ୍ଲୀର କୀର୍ତ୍ତୀ ନଗରରେ ପ୍ରଥମେ ମସଲା ପ୍ରସ୍ତୁତ ପାଇଁ ଫ୍ୟାକ୍ଟ୍ରି ନିର୍ମାଣ କରିଥିଲେ ଗୁଲାଟି । ଆଉ ସମୟକ୍ରମେ ଏହା ଏବେ ପୂରା ବିଶ୍ୱରେ ଏମଡିଏଚ୍ ବ୍ରାଣ୍ଡ ଭାବେ ଉଭା ହୋଇଛି । ଧର୍ମପାଲ ନିଜେ ଏମଡିଏଚ୍ କମ୍ପାନିର ସିଇଓ ଦାୟିତ୍ୱ ତୁଲାଉଛନ୍ତି । ଆଉ ସବୁଠୁ ବଡ କଥା ହେଲା ତାଙ୍କର ଦରମା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ।
୨୦୧୮ରେ ମହାଶୟ ଧର୍ମପାଲ ଗୁଲାଟିଙ୍କ ଦରମା ବାର୍ଷିକ ୨୫ କୋଟି ଯାହା କଞ୍ଜ୍ୟୁମର ପ୍ରଡକ୍ଟ ଭଳି କମ୍ପାନି ଗୁଡିକର ସିଇଓଙ୍କ ଦରମା ମଧ୍ୟରେ ସର୍ବାଧିକ । ଏବେ ମଧ୍ୟ କମ୍ପାନିର ୮୦ ପ୍ରତିଶତ ସେୟାର ଗୁଲାଟିଙ୍କ ନାଁରେ ରହିଛି । ଆଉ ନିଜ ଦରମାର ୯୦ ପ୍ରତିଶତ ଟଙ୍କା ସେ ବିଭିନ୍ନ ଚ୍ୟାରିଟି ସୋ’କୁ ଦିଅନ୍ତି ବୋଲି କହିଛନ୍ତି ଗୁଲାଟି । ଆଉ ଏମଡିଏଚ ମସଲା ମାଧ୍ୟମରେ ଭାରତର ଘରେ ଘରେ ପରିଚିତ ଥିବା ମହାଶୟ ଧର୍ମପାଲ ଗୁଲାଟିଙ୍କୁ ୯୫ ବର୍ଷ ବୟସରେ ଏବେ ଭାରତ ସରକାର ପଦ୍ମଭୂଷଣ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ।