ବାୟୁସେନାରେ ମହାଶକ୍ତି ଏମଆରଏସଏଏମ , ୭୦ କିମି ଯାଏଁ ଧ୍ୱଂସ କରିବାର କ୍ଷମତା

138

କନକ ବ୍ୟୁରୋ: ଭାରତୀୟ ବାୟୁ ସେନାର ଆଉ ଏକ ସଫଳତା । ଶତ୍ରୁକୁ କଡା ଜବାବ ଦେବାକୁ ସାମିଲ ହେଲା ଶକ୍ତିଶାଳୀ କ୍ଷେପଣାସ୍ତ୍ର (ଏମଆରଏସଏଏମ)ମିଡିଅମ୍ ରେଂଜ ସରଫେସ୍ ଟୁ ଏୟାର ମିସାଇଲ । ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପିତ ହେଉଥିବା ଏହି ମିଶାଇଲ ୭୦ କିଲୋମିଟର ଯାଏଁ ଆକ୍ରମଣ କରି ଧ୍ୱଂସ ଲୀଳା କରିବାର ସାମର୍ଥ୍ୟ ରଖିଛି । ଜୈଶଲମେର ସ୍ଥିତ ବାୟୁସେନା ଘାଟିରେ ଏହାର ପ୍ରଥମ ୟୁନିଟକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ମିସାଇଲରେ ଆଡଭାନ୍ସ ରାଡାର, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ, ମୋବାଇଲ ଲଂଚର, ରେଡିଓ ଫ୍ରିକ୍ୱେନ୍ସି ସିକର ସହ ଇଣ୍ଟରସେପ୍ଟର ବ୍ୟବସ୍ଥା ରହିଛି । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ(ଡିଆରଡିଓ) ଓ ଇଜ୍ରାଇଲର ଆଇଏଆଇ ର ମିଳିତ ଜ୍ଞାନ କୌଶଳରେ ନିର୍ମିତ ଏହି ମିଶାଇଲ ଭାରତର ବାୟୁସେନାର ଶକ୍ତିକୁ ବହୁଗଣରେ ଆଗେଇ ନେବ ବୋଲି ରାଜନାଥ ସିଂ କହିଛନ୍ତି ।ଏମଆରଏସଏଏମ କୁ ଭାରତର ତିନି ସେନା ଓ ଇଜ୍ରାଇଲର ଡିଫେନ୍ସ ଫୋର୍ସ ବ୍ୟବହାର କରିପାରିବେ । ଏହାର ବ୍ୟବହାର ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତର କଳ୍ପନାକୁ ସାକାର କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ନିଶ୍ଚୟ । ଏହା ଏୟାର ସିଷ୍ଟମ୍ ଗେମ୍ ଚେଂଜର ଭାବେ ପ୍ରମାଣିତ ହୋବ ବୋଲି ରାଜନାଥ ସିଂ କହିଛନ୍ତି । ଆଜିକା ଦିନରେ ବିଶ୍ୱ ଦୃଶ୍ୟପଟ ଦ୍ରୁତ ଗତିରେ ଓ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଛି । ଏହାସହ ଦେଶ ଗୁଡିକର ପାରସ୍ପରିକ ସମୀକରଣ ମଧ୍ୟ ସେମାନଙ୍କ ସ୍ୱାର୍ଥ ଅନୁଯାୟୀ ବଢିବାରେ ଲାଗିଛି । ଦକ୍ଷିଣ ଚୀନ ସାଗର ହେଉ ବା ଭାରତ ପ୍ରଶାନ୍ତ ମହାସାଗର ଚାରିଆଡେ ରାଜନୀତି, ସୁରକ୍ଷା ସ୍ଥିତି, ଭୂ-ରାଜନୀତି ସବୁଠୁ ବଡ ପ୍ରସଙ୍ଗ । ତେଣୁ ଦେଶର ସୁରକ୍ଷା ଢାଂଚାକୁ ମଜବୁତ କରିବା ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ଏକ ମଜବୁତ ସେନା ପାଇଁ ଦେଶର ସୁରକ୍ଷା ଓ ସମାଗ୍ରୀକ ବିକାଶ ଉପରେ ସମସ୍ତ ଚେଷ୍ଟା କରାଯାଉଛିି । ସମସ୍ତ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରକୁ ଦେଶରେ ହିଁ ନିର୍ମାଣ କରି ଦେଶକୁ ସମ୍ପୂର୍ଣ୍ଣ ସୁରକ୍ଷିତ ତଥା ଆତ୍ମନିର୍ଭରଶୀଳ କରିବା ଦିଗରେ ମୋଦୀ ସରକାର ଚେଷ୍ଟିତ ବୋଲି ଉଦଘାଟନୀ ସଭାରେ ରାଜନାଥ କହିଛନ୍ତି ।


ଏମଆରଏସଏଏମ୍ ଶତ୍ରୁ ପକ୍ଷର ଲଢୁଆ ବିମାନ, ହେଲିକପ୍ଟର, ସବ୍-ସୋନିକ୍, ସୁପରସୋନିକ୍ କ୍ରୁଜ୍ ମିଶାଇଲକୁ ଧ୍ୱଂସ କରିପାରିବ । ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ ମୋଟର ସାହାଯ୍ୟରେ ସଂଚାଳିତ ହେବ । ଏହି ମିଶାଇଲ ଫାୟାରିଙ୍ଗ ୟୁନିଟରେ କମ୍ବାଟ୍ ମ୍ୟାନେଜମେଣ୍ଟ ସିଷ୍ଟମ୍, ମୋବାଇଲ ଲଂଚର ସିଷ୍ଟମ୍, ଆଡଭାନ୍ସ ଲଙ୍ଗ ରେଂଜ ରେଡିଓ, ମୋବାଇଲ ପାୱାର ସିଷ୍ଟମ୍, ରିଲୋଡର ଭେଇକିଲ, ଫିଲ୍ଡ ସର୍ଭିସ୍ ଭେହିକିଲ ସାମିଲ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।
ଉଦଘାଟନୀ ସଭାରେ ଏୟାର ଚିଫ୍ ମାର୍ଶାଲ ଆରକେଏସ୍ ଭଦୌରିଆ, ଓ ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ଏମଆରଏସଏଏମ୍ ର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।