କନକ ବ୍ୟୁରୋ : ସ୍ୱାମୀ ଛାଡି ଅଙ୍ଗନୱାଡି ବିବାଦ ଥମି ନଥିବା ବେଳେ ନବୀନ ସରକାରର ଆଉ ଜଣେ ମନ୍ତ୍ରୀ ଏବେ ବିବାଦ ଭିତରକୁ ଟାଣି ହୋଇ ଆସିଛନ୍ତି । ଦାମଙ୍କ ଅଶାଳୀନ ମନ୍ତବ୍ୟ ପରେ ଏଥର ସର୍ବସାଧାରଣ ସଭାରେ ମୋଦି ସରକାରଙ୍କୁ ଅସଭ୍ୟ ଭାଷାରେ ଗାଳି କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଯାତ୍ରା ଡାଇଲଗ ଭଳି ଅନର୍ଗଳ ଅସଭ୍ୟ ଭାଷାରେ ମୋଦି ସରକାର ଓ ବିଜେପିକୁ ଗାଳି କରିଛନ୍ତି ମହାରଥୀ । ଭୂଲି ଯାଇଛନ୍ତି ହିତାହତ ଜ୍ଞାନ । ଗତକାଲି କେନ୍ଦ୍ରାପଡା ଜିଲ୍ଳାର ପଟ୍ଟାମୁଣ୍ଡାଇ ଠାରେ ବିଜେଡିର ପଦଯାତ୍ରା ସଭାରେ ଏମିତି ଅସଭ୍ୟ ଭାଷା ମହାରଥୀ ପ୍ରୟୋଗ କରିଛନ୍ତି ଯାହା ଗଣମାଧ୍ୟମରେ ମଧ୍ୟ ଦେଖାଇବା ଅସମ୍ଭବ । କୈାଣସି ସଭ୍ୟ ସମାଜରେ ଏଭଳି ଶଦ୍ଦ ବ୍ୟବହାର କରାଯାଇପାରିବ ନାହିଁ ।
ସଭା ଆରମ୍ଭରୁ ପ୍ରଥମେ ମା’କୁ ସମ୍ମାନ । ବିଜୁ ଜନତା ଦଳ ମହିଳାଙ୍କ ପାଇଁ କଣ କରିଛି ତାହା ବଖାଣିଥିଲେ ମହାରଥୀ । ଏହାସହ ବିଜେପିକୁ ମଧ୍ୟ ଟାର୍ଗେଟ କରିଥିଲେ ମନ୍ତ୍ରୀ । କିନ୍ତୁ ଏମିତି କହୁ କହୁ ମହିଳାଙ୍କ ଆଗରେ ଖୋଲିଥିଲା ମହାରଥୀଙ୍କ ଅସଭ୍ୟ ଭାଷାର ପେଡି । ସ୍ଥାନ, କାଳ, ପାତ୍ର କିଛି ଦେଖି ନଥିଲେ ମହାରଥୀ । ସାମ୍ନାରେ ଥିଲେ ଶହ ଶହ ମହିଳା । ମହାନଦୀ ପ୍ରସଙ୍ଗରେ ରମଣ ସରକାରଙ୍କୁ ଟାର୍ଗେଟ କରି ଭାଷଣ ଆରମ୍ଭ କରିଥିଲେ ମହାରଥୀ । କହିଥିଲେ, ରମଣ ସରକାର ଛତିଶଗଡରୁ ପାଣି ବନ୍ଦ କରିଦେଇଛନ୍ତି । ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀରେ ପାଣି ନାହିଁ ।
“ଆଉ @*$^* ଅଛି ଯେ ସୁନପାମ୍ପୁଡି ଖାଇବ” ।
ମହାରଥୀଙ୍କ ଏହି କଥା ଶୁଣିବା ପରେ ମଞ୍ଚ ଊପରୁ ଆରମ୍ଭ ହୋଇଥିଲା ତାଳିମାଡ । ଆଉ ସଭାସ୍ଥଳ ଆଡକୁ ଆଙ୍ଗୁଠି ଦେଖାଇ ମହାରଥୀ କହିଥିଲେ ଦେଖ ନୂଆବୋହୂ ହସୁଛି ।
ଏତିକିରେ ସରିନଥିଲା ମହାରଥୀଙ୍କ ଭାଷଣ । ସମୟ ବଢିବା ସହ ମହାରଥୀଙ୍କ ଡ୍ରାମା ବଢିଚାଲିଥିଲା । ଲାଗୁଥିଲା ଯେମିତି ପୂରା ଜୋସ ଚଢି ଯାଇଛି ମହାରଥୀଙ୍କ ମୁଣ୍ଡ ଉପରେ । ‘ଆଗରୁ ଦେଖିଲେ ଯେନ୍ତା ପଛରୁ ଦେଖିଲେ ସେନ୍ତା’ର ଡାଇଲଗ ମାରି ନବୀନଙ୍କ ନିର୍ମଳ ଭାବମୂର୍ତ୍ତିକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ ପ୍ରଦୀପ । ପ୍ରତି କଥାରେ ‘ନୂଆ ବୋହୁ’କୁ ସାମିଲ କରୁଥିଲେ ମହାରଥୀ । ଖାଲି ମହାନଦୀ ପାଣି ନୁହେଁ ମୋଦିଙ୍କ ଜନଧନ ଯୋଜନା ଉପରେ କହୁ କହୁ ମହାରଥୀ କହିଥିଲେ,
“ଛାମୁ ଯାହା ଦେଲେ ହରଷେ, ପାହୁପାହୁ ଗଲା ସାଢେ ତିନି ବରଷେ । ଏମନ୍ତ ଭୂଇଁ, #&)$@ ବୁଣିଲେ **** ଉଠଇ ନାହିଁ” । “ତୁ ଗୁହାରି କରିବୁ କାହାକୁ ମୁଁ ତ #(@)* କରିଛି ତାହାକୁ” ।
ଏହାଛଡା ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିଥିଲେ ମହାରଥୀ । ମୋଦି ଭାଷଣ ନ ମାରି ଆସି ପିପିଲିରୁ ଲଢିବାକୁ ଆହ୍ୱାନ କରିଥିଲେ ମନ୍ତ୍ରୀ । ଏତିକିରେ ସରିନଥିଲା ମହାରଥୀଙ୍କ ସୋ । ମୋଦିଙ୍କ ବୁଲେଟ ଟ୍ରେନକୁ ବ୍ୟଙ୍ଗ କରିବାକୁ ଯାଇ ଅସଭ୍ୟ ଭାଷା କହିଥିଲେ ମହାରଥୀ । ତାଙ୍କ ଅସଭ୍ୟ ଭାଷାର ସୋ ରେ ଲାଗିନଥିଲା ବ୍ରେକ । ମୋଦି ସରକାର ଲୋକଙ୍କୁ ବୁଲେଟ ଟ୍ରେନ ଦେଖାଇ ଭୂଆଁ ବୁଲାଉଛନ୍ତି । ବିଦେଶ ଗସ୍ତ କରି ମୋଦି ୧୩୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ସାଙ୍ଗରେ ଆଣିଛନ୍ତି କଣ ଜାପାନୀ ବୁଲେଟ ଟ୍ରେନ । ଏହା ପୁଣି ଅହମ୍ମଦବାଦରୁ ମୁମ୍ବାଇକୁ ଚାଲିବ । ଏଥିପାଇଁ ୪୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅହମ୍ମଦାବାଦରୁ ମୁମ୍ମାଇକୁ ବୁଲେଟ ଟ୍ରେନରେ ଗଲେ ୪ ଘଣ୍ଟା ସମୟ ଲାଗିବ । କିନ୍ତୁ ମୋଦି ଜାଣି ରଖିବା ଉଚିତ, ଅହମ୍ମଦାବାଦରୁ ମୁମ୍ମାଇକୁ ଫ୍ଲାଇଟରେ ୪୦ ମିନିଟ ଲାଗିବ । ଏଥିପାଇଁ ମାତ୍ର ୩୦୦୦ ଟଙ୍କା ଆବଶ୍ୟକ ।
“ଆମ &$*(# **** ହେଉଛି ଯେ ୪୦୦୦ ଟଙ୍କାରେ ବୁଲେଟ ଟ୍ରେନରେ ଯିବୁ” ।
ମହାରଥୀ ଏଭଳି ଅଶ୍ଲୀଳ ଭାଷା କହୁଥିଲେ ମଧ୍ୟ ମଞ୍ଚ ଉପରେ ଥିବା ଅନ୍ୟ କୌଣସି ନେତା ଏଥିରୁ ତାଙ୍କୁ ବାରଣ କରିନଥିଲେ । ବରଂ ମହାରଥୀଙ୍କ ଯାତ୍ରା ମାର୍କା ଡାଇଲଗକୁ ଭରପୂର ଉପଭୋଗ କରିଥିଲେ ସ୍ଥାନୀୟ ନେତା ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସର୍ବସାଧାରଣରେ ମହାରଥୀ ଅସଭ୍ୟ ଭାଷା କହିବା କେତେଦୂୂର ଠିକ୍? ଏଥିପାଇଁ ମହାରଥୀଙ୍କୁ ଜବାବ ମାଗିବେ କି ନବୀନ ? ବିଜେଡିର ମା’କୁ ସମ୍ମାନ କଣ ଏହିଭଳି ? ମନ୍ତ୍ରୀଙ୍କ ତୁଣ୍ଡରେ ଶୋଭା ଦିଏ କି ଏଭଳି ଭାଷା ? ସର୍ବସାଧାରଣରେ ମହାରଥୀ ଏଭଳି ଅସଭ୍ୟ କଥା କହିବା ପରେ କାର୍ଯ୍ୟାନୁଷ୍ଠାନ ନେବେ କି ନବୀନ? କାରଣ ବିଜେଡି ସବୁବେଳେ ମା’କୁ ସମ୍ମାନ ଦେବା କଥା କହି ଭୋଟ ହାତେଇଛି । କିନ୍ତୁ ଶହ ଶହ ମହିଳାଙ୍କ ଆଗରେ ମହାରଥୀଙ୍କ ଏଭଳି ବୟାନ କଣ ମହିଳାଙ୍କ ସମ୍ମାନରେ ଆଞ୍ଚ ଆଣୁନି?
ବଡ କଥା ହେଉଛି, ମହାରଥୀ ଯେ ନିଜ ହିତାହିତ ଜ୍ଞାନ ଭୁଲି ଏଭଳି ବକ୍ତବ୍ୟ ରଖୁଥିଲେ ତାହା ନୁହେଁ ବରଂ ସବୁ ଜାଣି ଆଉ ବୁଝି ସୁଝି ସେ ଏଭଳି ମନ୍ତବ୍ୟ ରଖୁଥିଲେ । ରାଜନୀତିରେ ପ୍ରତିପକ୍ଷଙ୍କୁ ସମାଲୋଚନା କରିବା ଠିକ, ଏହା ରାଜନୀତିର ଅଂଶବିଶେଷ । ହେଲେ ମହାରଥୀଙ୍କ ଭଳି ନେତାଙ୍କ ମୁହଁରେ କଣ ଏଭଳି ଶଦ୍ଦ ଶୋଭାଦିଏ । ସମସ୍ତେ ଜାଣିଛନ୍ତି, ମହାରଥୀଙ୍କ ମୁହଁରୁ କେତେବେଳେ କଣ ବାହାରିଯାଏ । ତାବୋଲି କଣ ସାଧାରଣ ସଭାରେ ମହିଳାଙ୍କ ସାମ୍ନାରେ ଅସଭ୍ୟ ଭାଷା ପ୍ରୟୋଗ କରିବେ? ଏଭଳି ଅନେକ ଦିଗକୁ ନେଇ ଏବେ ଚର୍ଚ୍ଚା, ଆଉ ବିବାଦ ଭିତରକୁ ଟାଣିହୋଇ ଆସିଛନ୍ତି ପ୍ରଦୀପ ମହାରଥୀ ।
ସେପଟେ ଦଳର ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି, ଦଳର ସୁପ୍ରିମୋ ସର୍ବଦା ମହିଳାଙ୍କୁ ସମ୍ମାନ ଦେବା ପାଇଁ କର୍ମୀ ନେତାଙ୍କୁ କହିଛନ୍ତି । କିନ୍ତୁ ପ୍ରଦୀପ ମହାରଥୀଙ୍କ ଘଟଣା ବିଷୟରେ ସେ ଅବଗତ ନାହାନ୍ତି । ସେ କେଉଁ ପରିସ୍ଥିତିରେ ଏଭଳି କହିଛନ୍ତି ସେନେଇ ତର୍ଜମା କରାଯିବ ବୋଲି କହିଛନ୍ତି ସୁଲୋଚନା ।
ଦାମ ବାବୁଙ୍କ ଅଙ୍ଗନବାଡି ମନ୍ତବ୍ୟ ପରେ ନବୀନ ବାବୁ ଦାମୋଦର ରାଉତଙ୍କ ଉପରେ ବିଗିଡିଥିଲେ । ଏପରିକି ଫୋନ ଯୋଗେ ତାଙ୍କ ସହ କଥା ହୋଇ ତାଗିଦ କଲାପରେ ମିଡିଆ ଜରିଆରେ ଡାକ୍ତର ରାଉତ ଭୁଲ ମାଗିଥିଲେ । ଏବେ ପ୍ରଶ୍ନ ଉଠୁଛି, ମହାରଥୀଙ୍କୁ ମଧ୍ୟ ସମାନ ଢଙ୍ଗରେ ତାଗିଦ କରିବେ କି ନବୀନ? ମହାରଥୀଙ୍କୁ କହିବେ ସମସ୍ତଙ୍କ ସାମ୍ନାରେ ଭୁଲ ମାଗିବାକୁ?