କୋର୍ଟ ପରିସରରେ ବେହୋସ ହେଲେ ମହାରଥୀ । ଫ୍ଲାଇର୍ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ପ୍ରଦୀପ ।

426

କନକ ବ୍ୟୁରୋ : କୋର୍ଟ ପରିସରରେ ବେହୋସ ହେଲେ ପ୍ରଦୀପ ମହାରଥୀ । ଗିରଫ ହେବା ପରେ ପ୍ରଦୀପଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟ ପରିସରରେ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ ପ୍ରଦୀପ । ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଗିରଫ ପୂର୍ବରୁ ଥାନାରେ ଆତ୍ମସର୍ମପଣ କରିଥିଲେ ପ୍ରଦୀପ ।

ଗିରଫ ପରେ ପୁରୀ ଏସପି କହିଛନ୍ତି, ଫ୍ଲାଇଂ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ପ୍ରଦୀପଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିିସ । ଏପରିକି ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ଏସପି । ପ୍ରଦୀପଙ୍କ ବିରୋଧରେ ୧୪୭, ୧୪୮,୧୮୮,୨୯୪,୩୪୧, ୧୮୬,୩୫୩,୩୩୩,୧୭୧ ବି,୫୦୬,୩୦୭,୧୪୯ ଓ ଲୋକପ୍ରତିନିଧି ଆଇନ ୧୨୩ ଦଫା ଲାଗିଛି । ଏପରିକି ଆକ୍ରମଣ ଘଟଣାରେ ପ୍ରଦୀପଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମଧ୍ୟ ରହିଛି ବୋଲି ଏସପି ସୂଚନା ଦେଇଛନ୍ତି ।

ଗିରଫ ପୂର୍ବରୁ ଗତକାଲି ରାତିର ପୂରା ଘଟଣା ସର୍ମ୍ପକରେ ମହାରଥୀ ଫେସବୁକରେ ନିଜର ମତ ରଖିଛନ୍ତି । ଗତକାଲି ରାତି ୧୨ଟା ସମୟରେ ତାଙ୍କ ଫାର୍ମହାଉସକୁ କିଛି ସ୍ପେଶାଲ ସ୍କ୍ୱାର୍ଡର ଅଧିକାରୀ ଆସିଥିଲେ । ଫାର୍ମ ହାଉସରେ ବିଦ୍ୟୁତ ନଥିଲେ ମଧ୍ୟ ଗେଟ ତାଲା ଭାଙ୍ଗି ସ୍କ୍ୱାର୍ଡ ଅଧିକାରୀ ମାନେ ଭିତରକୁ ପଶିଥିଲେ । ଫାର୍ମ ହାଉସରେ କିଏ ପଶିଲା ବୋଲି ତାଙ୍କର ଲୋକମାନେ ପଚରାଉଚରା କରିବାରୁ ସେଠାରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ପରେ ବଚସା ହେବା ସହ ଠେଲାପେଲା ମଧ୍ୟ ହୋଇଥିଲା । ଯେଉଁଥିପାଇଁ ମୁୁଁ ଦୁଃଖିତ ଓ ମର୍ମାହତ ବୋଲି ଫେସବୁକ ପେଜରେ କହିଛନ୍ତି ମହାରଥୀ । ତେବେ ଏଭଳି ଘଟଣାରେ ଦଳ କିମ୍ବା ସେ ସମ୍ପୃକ୍ତ ନୁହେଁ ବୋଲି କହିଛନ୍ତି ପ୍ରଦୀପ ମହାରଥୀ । ଆସନ୍ତାକାଲି ପୁରୀ ଲୋକସଭା ଓ ଏହା ଅର୍ନ୍ତଗତ ସମସ୍ତ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ମହାରଥୀ ଗିରଫ ହେବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।