କନକ ବ୍ୟୁରୋ: ଶେଷରେ ନିଜ ପାଇଁ ମଧ୍ୟ ଭୋଟ୍ ଦେଇ ପାରିନାହାନ୍ତି ପିପିଲି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। କାର୍ଯ୍ୟରତ ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରି ଗିରଫ ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଫଳରେ, ସେ ଗତକାଲି ନିଜର ଭୋଟଦାନରୁ ବଞ୍ଚିତ ହୋଇଛନ୍ତି।

Advertisment

publive-image

ମିଳିଥିବା ସୂଚନା ଅନୁସାରେ, ଟେଲିଫୋନ୍ ଓ କର୍ମୀଙ୍କ ଜରିଆରେ ତାଙ୍କ ଅଞ୍ଚଳରୁ ଘଡ଼ିକୁ ଘଡ଼ି ଖବର ଆସୁଥିଲା। ସେଠାରେ ସ୍ଥିତି କଣ ରହିଛି, ତାଙ୍କ ଗିରଫଦାରୀ ପରେ ଲୋକଙ୍କ ମଧ୍ୟରେ କଣ ବିଚାର ଚାଲିଛି, ସେ ନେଇ ତଥ୍ୟ ସଂଗ୍ରହ ହେଉଥିବା ଦେଖାଯାଇଥିଲା। ପରିବାରବର୍ଗଙ୍କ ଛଡ଼ା କେତେକ ହାତଗଣତି ବଛା ବଛା କର୍ମୀଙ୍କୁ କେବଳ ଏହା ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଅନ୍ୟପଟେ ଆଜି ତାଙ୍କ ଜାମିନ୍ ଆବେଦନର ଶୁଣାଣି ରହିଛି। ସ୍ବତନ୍ତ୍ର ଜଜ୍ ତଥା ଏଡିଜେ-୩ ଏହି ଆବେଦନର ଶୁଣାଣି କରିବେ। ପୂର୍ବରୁ କୋର୍ଟରେ ଏଥିପାଇଁ ଆବଶ୍ୟକ କାଗଜପତ୍ର ମହାରଥୀଙ୍କ ପକ୍ଷରୁ ଓକିଲ ଦାଖଲ କରି ସାରିଛନ୍ତି। ଆଜି ପୂର୍ବାହ୍ନରେ ଏହି ଆବେଦନର ଶୁଣାଣି କରାଯାଇପାରେ ବୋଲି ଆଶା କରାଯାଉଛି।

publive-image

ସୂଚନାଯୋଗ୍ୟ, ୨୧ ତାରିଖ ବିଳମ୍ବିତ ରାତିରେ ତାଙ୍କର ଫାର୍ମହାଉସରେ ଭୋଜିଭାତ ଚାଲିଥିବା ଖବର ପାଇ ଭିଡିଓଗ୍ରାଫରଙ୍କ ସହ ଫ୍ଲାଇଂ ସ୍କ୍ବାଡ୍ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସଦଳବଳ ଚଢ଼ଉ କରିଥିଲେ। ସେମାନଙ୍କୁ ଅଟକ ରଖି ଶ୍ରୀ ମହାରଥୀ କର୍ମୀମାନଙ୍କ ସହାୟତାରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀଙ୍କ ସମେତ ପୁଲିସ ଓ ଭିଡିଓଗ୍ରାଫର ଆହତ ହୋଇଥିଲେ। ସେମାନଙ୍କର କ୍ୟାମେରା ମଧ୍ୟ ଭାଙ୍ଗି ଯାଇଥିଲା। ଅଭିଯୋଗକୁ ଆଧାର କରି ପିପିଲି ପୁଲିସ ଶ୍ରୀ ମହାରଥୀଙ୍କୁ ଗିରଫ କରିଥିଲା।