କ୍ଷମତା ସଂକଟରେ ମହାରାଷ୍ଟ୍ର ସରକାର, ଗ୍ୱାହାଟିରେ ଡେରା ପକାଇଛନ୍ତି ଶିବସେନାର ବିଦ୍ରୋହମି ବିଧାୟକଙ୍କ ସହ ଏକନାଥ ସିନ୍ଦେ

135

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ସଙ୍କଟରେ ପଡିଛି ଉଦ୍ଧବଙ୍କ ସରକାର । କୌଣସି ମୁହୁର୍ତରେ ପୁରୁଣା ସରକାର ଭାଙ୍ଗି ରାଜ୍ୟରେ କ୍ଷମତା ବଦଳିପାରେ । ଏହା ଭିତରେ ମହାରାଷ୍ଟ୍ରର ଚିତ୍ର ବଦଳିବାରେ ଲାଗିଛି । ଗ୍ୱାହାଟିରେ ଡେରା ପକାଇଛନ୍ତି ଶିବସେନାର ବିଦ୍ରୋହମି ବିଧାୟକଙ୍କ ସହ ଏକନାଥ ସିନ୍ଦେ ।

ଇଏ ହେଉଛି ଗ୍ୱାହାଟିରେ ସେଇ ପଂଚ ତାରକା ହୋଟେଲ ଯେଉଁଠି ଡେରା ପକାଇଛନ୍ତି ଟିମ ସିନ୍ଦେ । ଏହି ହୋଟେଲରେ ଏକନାଥ ସିନ୍ଦେଙ୍କ ସମର୍ଥନରେ ୪୨ଜଣ ବିଧାୟକ ରହିଛନ୍ତି । ବିଦ୍ରୋହୀ ବିଧାୟକ ହୋଟେଲ ଭିତରେ ଶକ୍ତି ପ୍ରଦର୍ଶନ କରୁଥିବା ନୂଆ ଭିଡିଓ ସାମ୍ନାକୁ ଆସିଛି । ବୁଧବାର ୪ ଓ ଗୁରୁବାର ୩ ବିଧାୟକ ଗ୍ୱାହାଟିରେ ପହଁଚିଥିବା ସୂଚନା ରହିଛି । ଏଠାକାର ବ୍ଲ୍ୟୁ-ରାଡିସନ ହୋଟେଲରେ ଟିମ ସିନ୍ଦେ ବସି ଆଗାମୀ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଅନ୍ୟପଟେ ମୁମ୍ବାଇରେ ଏନସିପି,କଂଗ୍ରେସ ଓ ଉଦ୍ଧବଙ୍କ ସମର୍ଥନରେ ଥିବା ବିଧାୟକଙ୍କ ମଧ୍ୟରେ ପୃଥକ ପୃଥକ ବୈଠକ ଚାଲିଛି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ବସିଛି ବଡ ବୈଠକ    । ବୈଠକ ସରିବା ପରେ ପାୱାରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଶିବସେନାକୁ ଏନସିପି ନିଜର ପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛନ୍ତି ପାୱାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥନରେ ଥିବା ଶିବସେନା ବିଧାୟକଙ୍କ ମଧ୍ୟରେ ମାତ୍ରୋଶ୍ରୀରେ ବୈଠକ ବସିଛି ।

 

ଏହି ଘଡିସନ୍ଧିମୁହୁର୍ତରେ ଶିବସେନା ସମର୍ଥନରେ ବାହାରିଛି ଟିଏମସି । ମହାରାଷ୍ଟ୍ର ରାଜ୍ୟ ରାଜନୀତି ହଇଚଇ ଭିତରେ ଗୁରୁବାର ସକାଳୁ ସକାଳୁ ଗ୍ୱାହାଟିରେ ନୂଆ ନାଟକ ଦେଖିବାକୁ ମିଳିଛି । ଗ୍ୱାହାଟୀର ଯେଉଁ ହୋଟେଲରେ ଶିବସେନାର ବିଦ୍ରୋହୀ ବିଧାୟକମାନେ ଅଛନ୍ତି ସେଠାରେ ପହଁଚି ଜୋରଦାର ହଙ୍ଗାମା କରିଛି ତୃଣମୂଳକଂଗ୍ରେସ । ହୋଟେଲ ସମ୍ମୁଖରେ ଧାରଣା ଦେଇଛି ଟିଏମସି । ଏହି ସମୟରେ କିଛି ଟିଏମସି ନେତାଙ୍କୁ ହାଜତକୁ ନେଇଛି ପୁଲିସ । ରାଜ୍ୟ କଂଗ୍ରେସ କହିଛି ଆସାମରେ ବନ୍ୟା ସମସ୍ୟା ଦେଖା ଦେଇଥିବାବେଳେ ବିଜେପି ବିଧାୟକ କିଣାବିକା କାମରେ ବ୍ୟସ୍ତ ଅଛି ।

 

ଦିନକୁ ଦିନ ଉଦ୍ଧବ ସରକାରଙ୍କ ସରକାର ଦୁର୍ବଳ ହେଉଥିବାବେଳେ ସେପଟେ ଦଳ ଏବେ ବି ମଜବୁତ ସ୍ଥିିତିରେ ଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି ଶିବସେନା । ଦଳୀୟ ମୁଖପାତ୍ର ଏକଥା ଦାବି କରିଛନ୍ତି କି ଏବେ ବି ଦଳ ସହ ୨୦ଜଣ ବିଦ୍ରୋହୀ ବିଧାୟକ ସର୍ମ୍ପକରେ ରହିଛନ୍ତି । ଚାପରେ ପଡି ବିଧାୟକମାନେ ଦଳ ଛାଡିଛନ୍ତି । ।ଏହି ସମସ୍ତ ଘଟଣା ଭିତରେ ବିଜେପି ନିଜର ପକ୍ଷ ରଖୁଛି । ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ବିଜେପି କୌଣସି ହସ୍ତକ୍ଷେପ କରୁନି ଓ ଏହା ଶିବସେନାର ଆଭ୍ୟନ୍ତରୀଣ ସମସ୍ୟା ।

 

ମହାରାଷ୍ଟ୍ର ବିଧାନସଭା ମୋଟ ଆସନ ସଂଖ୍ୟା ୨୮୮ । ବିଜେପି ପାଖରେ ୧୦୬ ଆସନ ରହିଛି । ସେପଟେ ମେଂଟ ସରକାରର ଦଳ ଶିବସେନା ନିକଟରେ ୫୬ କଂଗ୍ରେସ ନିକଟରେ ୪୪ ଓ ଏନସିପିର ୫୩ ବିଧାୟକ ରହିଛନ୍ତି । ଯଦି ୪୦ ବିଦ୍ରୋହୀ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହେବେ ତେବେ ମେଂଟ ସରକାର ବହୁମତ ହରାଇ କ୍ଷମତାଚ୍ୟୁତ ହେବେ । । ଏହି ସମସ୍ତ ଘଟଣାକ୍ରମ ଭିତରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି କି ବିଦ୍ରୋହୀ ଶିବସେନା ବିଧାୟକଙ୍କ ସମର୍ଥନ ଦେଇ ବିଜେପି ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ଅପରେସନ ଲୋଟସ ଆରମ୍ଭ କରିପାରେ ।