ସଂସଦରେ ‘ମହା’ ତାତି: ଗୃହ ଭିତରେ-ବାହାରେ କଂଗ୍ରେସର ବିରୋଧ । ରାହୁଲ କହିଲେ ଗଣତନ୍ତ୍ରର ହତ୍ୟା, ବିଜେପି କହିଲା ଓଦା ପିଚରେ ରନ ଆଉଟ ହେବାର ସମ୍ଭାବନା ଅଛି

279

କନକ ବ୍ୟୁରୋ: ଲୋକସଭାର ଶୀତକାଳୀନ ଅଧିବେଶନରେ ମହାରାଷ୍ଟ୍ର ଝଡ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଗୃହରେ କହିଥିଲେ, ଗଣତନ୍ତ୍ରର ହତ୍ୟା କରାଯାଇଛି । ପ୍ରଶ୍ନକାଳରେ ଏହି ବୟାନ ରଖିଥିଲେ ରାହୁଲ । ମହାରାଷ୍ଟ୍ର ପ୍ରସଙ୍ଗରେ ମୋଦି ସରକାର ଉପରେ ଖୁବ ବର୍ଷିଥିଲେ ରାହୁଲ ଗାନ୍ଧୀ । ଏହି ପ୍ରସଙ୍ଗକୁ ନେଇ ଗୃହରେ କିଛି ସମୟ ଧରି ଚାଲିଥିଲା ହୋ-ହଲ୍ଲା । ଗୃହ ଭିତରେ ଯେତିକି ତାତି ବାହାରେ ବି ସେତିକି ତାତି ଥିଲା ।

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଅନ୍ୟ କଂଗ୍ରେସ ନେତାମାନେ ସଂସଦ ବାହାରେ ମଧ୍ୟ ପ୍ରତିବାଦ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଗଣତନ୍ତ୍ରର ହତ୍ୟା ହୋଇଥିବା ନେଇ ଲେଖାଥିବା ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ କଂଗ୍ରେସର ନେତା । ମହାରାଷ୍ଟ୍ର ପ୍ରସଙ୍ଗରେ ଘୋଡା ବେପାର ପାଇଁ କଂଗ୍ରେସ ସିଧାସଳଖ ବିଜେପିକୁ ଦାୟୀ କରିଛି । ସାରା ଦେଶକୁ ମୋଦି ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ଅନ୍ୟପଟେ ମହାରାଷ୍ଟ୍ର ପ୍ରସଙ୍ଗରେ ବିଜେପିର କହିବା କଥା ହେଲା, ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଉ । ଗୃହ ଭିତରେ ଏବଂ ବାହାରେ ହଙ୍ଗାମା କରିବାର ମାନେ କିଛି ନାହିଁ ।
ଫ୍ଲୋର ଟେଷ୍ଟରେ ହିଁ ସବୁକିଛି ପ୍ରମାଣିତ ହୋଇଯିବ । ତେବେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ କଟାକ୍ଷ କରିଛି ବିଜେପି । ବିଜେପି ନେତା ମୁଖତାର ଆବାସ ନକବି କହିଛନ୍ତି, ଖେଳକୁ ଭଲ ଭାବେ ବୁଝନ୍ତି ଶରଦ ପାୱାର । କଂଗ୍ରେସକୁ ନେଇ ସରକାର ଗଢିବାର ସ୍ୱପ୍ନ ଦେଖୁଥିବା ଏନସିପି ଜାଣି ରଖିବା ଦରକାର , ପିଚ ଓଦା ଥିବା ସମୟରେ ରନ ଆଉଟ ହେବାର ଭୟ ଥାଏ ।

ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମେଂଟ ସରକାର ଗଢିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ରାତି ଅଧିଆ ମେଂଟ ସରକାର ଗଠନ କରିଛି ବିଜେପି । ଯାହାକୁ ସହଜରେ ହଜମ କରିପାରିନାହାନ୍ତି କଂଗ୍ରେସର ନେତୃବୃନ୍ଦ । ଏସବୁ ଭିତରେ ଅପେକ୍ଷା ରହିବ ଆସନ୍ତାକାଲି ସୁପ୍ରିମକୋର୍ଟ ମହାରାଷ୍ଟ୍ର ପ୍ରସଙ୍ଗରେ କି ରାୟ ଶୁଣାଉଛନ୍ତି ।