ମହାରାଷ୍ଟ୍ରରେ କରୋନା ସଙ୍କଟ : ୨୪ ଘଂଟାରେ ୯ ହଜାର ମାମଲା, ୮୦ ମୃତ; ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ; ସ୍କୁଲ ହଷ୍ଟେଲରେ ୧୯୦ ଛାତ୍ର ପଜିଟିଭ

159

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି କରୋନା ସଂକଟ । ୪ମାସ ପରେ ପୁଣି ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ବଢ଼ୁଥିବା ଦେଖିବାକୁ ମିଳିଛି । ମହାରାଷ୍ଟରେ କରୋନା ଉପରମୁହାଁ ଥିବା ବେଳେ ଗତ ୨୪ ଘଂଟାରେ ୮ ହଜାର ୮୦୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ନୂଆ ମାମଲା ମିଶାଇ ସଂକ୍ରମଣ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯ରେ ପହଂଚିଛି । ସେହିପରି ୨୪ ଘଂଟାରେ ୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୫୧ ହଜାର ୯୩୭ରେ ପହଂଚିଛି । ୨ ହଜାର ୭୭୨ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କରୋନାର ପ୍ରକୋପ ଦେଶରେ କିଛି ଦିନ କମିଥିବା ବେଳେ ଏବେ ପୁଣି ମୁମ୍ବାଇରେ ବଢ଼ିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ବୁଧବାର ଦିନ ମୁମ୍ବାଇରେ ୧ହଜାର ୧୬୭ ନୂଆ ମାମଲା ଚିହ୍ନଟ ହୋଇଥିଲା । ନାଗପୁର ଜିଲ୍ଲା ଏବଂ ଅମରାବତୀ ସହର ସଂକ୍ରମଣ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି । ସେହିପରି ମୁମ୍ବାଇ ଝୁଙ୍ଗୀ ବସ୍ତିରେ ମଧ୍ୟ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୧୦ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ବାଶିମ ଜିଲ୍ଲାରୁ ୩୧୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୯୦ଜଣ ଛାତ୍ର ଅଛନ୍ତି । ଜିଲ୍ଲାରେ ଥିବା ରିସୋଡ ତହସିଲ ନିକଟରେ ଥିବା ଏକ ସ୍କୁଲ ହଷ୍ଟେଲରେ ୧୯୦ ଛାତ୍ର କରୋନା ପଜିଟିଭ ଖବର ଭୟର ବାତାବରଣ ସୃଷ୍ଟି କରିଛି ।