କନକ ବ୍ୟୁରୋ : ମାଆ ଥିଲେ ଡର କାହାକୁ । କଥାକୁ ପ୍ରମାଣିତ କରିଦେଇଛନ୍ତି ଜଣେ ମାଆ । ବିଚ୍ ରାସ୍ତାରେ ବଞ୍ଚାଇଦେଲେ ପୁଅର ଜୀବନ । ଦିନ ଦ୍ୱିପହରେ ରାସ୍ତାରେ ବୁଲିଲା ଖଣ୍ତା । ହେଲେ ବି ଦୁର୍ବୃତ୍ତଙ୍କ ସହ ଲଢ଼ିଗଲା ମାଆ । ଏମିତି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରବିବାର କୋଲ୍ହାପୁରର ଜୟସିଂହପୁର ଠାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ମାଆର ସାହାସ ଯୋଗୁ ବଞ୍ଚି ଗଲା ଭେଣ୍ଡିଆ ପୁଅର ଜୀବନ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଆ ଓ ପୁଅ ରାସ୍ତାକଡ଼ରେ ଗାଡ଼ି ପାଖରେ ଠିଆ ହୋଇଥିଲେ । ପୁଅଟି ସ୍କୁଟି ଉପରେ ବସିଥିବା ବେଳେ ହଠାତ ୩ ଜଣ ଯୁବକ ଖଣ୍ଡା ଦ୍ୱାରା ଆକ୍ରମଣ କରିବାକୁ ଆସିଥିଲେ । ତେବେ ସେ ଘୁଞ୍ଚି ଯିବାରୁ ଖଣ୍ଡାଟି ଗାଡ଼ି ସିଟରେ ବାଜିଥିଲା ।

ପୁଅ ଉପରେ ଆକ୍ରମଣ ହେଉଥିବା ଦେଖି ମାଆ ଦୁର୍ବୃତ୍ତଙ୍କ ସାମ୍ନାକୁ ଚାଲି ଆସିଥିଲେ ଓ ରାସ୍ତାରେ ପଡ଼ିଥିବା ପଥର ଖଣ୍ଡ ଗୋଟାଇ ଆକ୍ରମଣକାରୀଙ୍କୁ ଫିଙ୍ଗି ଥିଲେ । ପୁଅ ମଧ୍ୟ ମାଆ ଭଳି ଦୁର୍ବୃତ୍ତଙ୍କ ଉପରକୁ ଗୋଡ଼ାଇ ଗୋଡ଼ାଇ ଫଥର ମାଡ଼ କରିଥିଲେ । ଏହା ଦେଖି ଆକ୍ରମଣ କରିବାକୁ ଆସିଥିବା ଯୁବକମାନେ ଭୟରେ ସେଠାରୁ ଚମ୍ପଟ ମାରିଥିଲେ । ତେବେ ପୁଅ ପାଇଁ ରାସ୍ତାରେ ଆକ୍ରମଣକାରୀଙ୍କ ସହ ଏକାକୀ ଲଢ଼ିଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି ।