କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ଲକଡାଉନ କଟକଣା କୋହଳ ଉପରେ ମହାରାଷ୍ଟ୍ର ସରକାରଙ୍କ ପୁନଃ ବିଚାର

421

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଡେଲଟା ପ୍ଲସ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ଲକଡାଉନ କଟକଣା ଉପରେ ପୁଣିଥରେ ବିଚାର କରୁଛନ୍ତି ମହାରାଷ୍ଟ୍ର ସରକାର । ଶୁକ୍ରବାର ଦିନ ମହାରାଷ୍ଟ୍ରର ରତ୍ନଗିରୀ ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କର ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାପରେ ସରକାର ପୁଣିଥରେ କରୋନା କଟକଣା କଡାକଡି କରିଛନ୍ତି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ।

ଏନେଇ ରାଜ୍ୟ ସରକାର କହିଛନ୍ତି କି ଲୋକଙ୍କ ଜୀବନ ବଦଳରେ କରୋନା କଟକଣା କୋହଳ କରାଯାଇ ପାରିବ ନାହିଁ   । ଏହାସହ ରାଜ୍ୟରେ ସମସ୍ତ କୋଭିଡ ଟେଷ୍ଟ ଆରଟିପିସିଆର ମାଧ୍ୟମରେ କରାଯିବ । ଏହାସହ ଟିକାକରଣକୁ ଦ୍ରୁତ କରିବା ପାଇଁ ଚେଷ୍ଟା କରାଯିବ ।

ସରକାରଙ୍କ ନୂଆ ଆଦେଶ ମୁତାବକ ଥାନେ ଓ ପୁନେ ଭଳି ଜିଲ୍ଲାମାନଙ୍କରେ ସାର୍ବଜନୀକ ସ୍ଥାନ ଖୋଲିବା ନେଇ ନିଷ୍ପତ୍ତି ପରେ କରାଯିବ । ଏହାସହ ସବୁ ଦୋକାନ ଓ ସାର୍ବଜନୀକ ଦପ୍ତରକୁ ଅପରାହ୍ନ ୪ ଟା ଯାଏଁ ବନ୍ଦ ରଖିବାକୁ କୁହାଯାଇଛି ।
ସୂଚନା ଥାଉକି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପୂର୍ବ ସପ୍ତାହରେ ଏକ ପ୍ରେଜେଣ୍ଟେସନ ମାଧ୍ୟମରେ କହିଥିଲେ କି ମହାରାଷ୍ଟ୍ରରେ କରୋନାର ନୂଆ ଭାରିଆଣ୍ଟ ଡେଲଟା ପ୍ଲସ ତୃତୀୟ ଲହର ଆଣିପାରେ । ଏହି ବୈଠଳରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୋଗ ଦେଇଥିଲେ ।

ଅନ୍ୟପଟେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ମଙ୍ଗଳବାର ଦି ଡେଲଟା ପ୍ଲସ ଭାରିଆଣ୍ଟକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ବିଭାଗ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି କିଭଳି ଡେଲଟା ପ୍ଲସ ଭାରିଆଣ୍ଟକୁ ରୋକିହେବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ମାନଙ୍କୁ କୁହାଯାଇଥିଲା ।