କନକ ବ୍ୟୁରୋ: ପୁଣିଥରେ ବିଜେପି ଉପରେ ବର୍ଷିଲେ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରଦୀପ କୁମାର ସିଂହଙ୍କୁ କଡା ଜବାବ ଦେବା ସହିତ ବିହାରରେ ମହାରାଷ୍ଟ୍ର ଚାପ୍ଟର କେବେ ବି ହେବନି ବୋଲି ତେଜସ୍ୱୀ କହିଛନ୍ତି । ତେବେ ଅସଲ କଥା ହେଉଛି, ବିଜେପି ସାଂସଦ ପ୍ରଦୀପ ସିଂହ ବିହାର ସରକାରକୁ ଟାର୍ଗେଟ କରିବା ସହିତ ଖୁବଶୀଘ୍ର ସେଠାରେ ମହାମେଣ୍ଟ ସରକାରର ପତନ ଘଟିବ ବୋଲି କହିଥିଲେ । ଏମିତିକି ଆରଜେଡି ଓ ଜେଡିୟୁର ଅନେକ ନେତା ଖୁବଶୀଘ୍ର ବିଜେପିରେ ସାମିଲ ହେବ ବୋଲି ସେ କହିଥିଲେ । ଯାହାର ଜବାବ ରଖିବା ସହିତ ତେଜସ୍ୱୀ, ବିଜେପିକୁ ତୀର ମାରିଛନ୍ତି ।

Advertisment

ଏହି ପ୍ରସଙ୍ଗରେ ତେଜସ୍ୱୀ କହିଛନ୍ତି, କିଛି ମାସ ତଳେ ବିଜେପି, ବିହାରରେ ମହାରାଷ୍ଟ୍ର ଭଳି କରିବାକୁ ଚେଷ୍ଟା କରିଥିଲା । ହେଲେ ବିଜେପି ସାଥିରେ ହିଁ ଓଲଟା ହୋଇଗଲା । ଅର୍ଥାତ ନୀତିଶ ବିଜେପିର ହାତ ଛାଡି ଆସି ତେଜସ୍ୱୀଙ୍କ ସହ ସରକାର ଗଢିଥିଲେ । ଏପରି ସ୍ଥିତିରେ ବିଜେପି ସାଂସଦଙ୍କ ଏପରି ବୟାନ ତେଜସ୍ୱୀଙ୍କୁ ତୀର ମାରିବାକୁ ସହଜ କରିଦେଇଛି ।

ତେଜସ୍ୱୀ ଯାଦବ ଅନ୍ୟପଟେ ଆରଜେଡି ଓ ଜେଡିୟୁର ସମ୍ପର୍କକୁ ନେଇ ମଧ୍ୟ ବୟାନ ରଖିଛନ୍ତି । ସେ କହିଛନ୍ତି ଦୁଇ ଦଳର ଟପ୍ ଲିଡରଙ୍କ ଭିତରେ ଭଲ ତାଳମେଳ ରହିଛି । ଦୁଇ ପାର୍ଟି ଭିତରେ ସବୁକିଛି ଠିକ୍ ଅଛି । ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ ଓ ଜେଡିୟୁ ପ୍ରମୁଖ ନୀତିଶ କୁମାରଙ୍କ ଭିତରେ ସବୁକିଛି ଠିକ୍ ଅଛି । ମହାମେଣ୍ଟରେ ଏହି ଦୁଇ ଜଣ ହେଉଛନ୍ତି ଶୀର୍ଷ ନେତା । ତେଣୁ ଏମାନଙ୍କ ବ୍ୟତୀତ ଅନ୍ୟ ନେତା କଣ କହୁଛନ୍ତି ତାର କିଛି ଫରକ୍ ପଡୁନି ବୋଲି ସେ କହିଛନ୍ତି ।