ମହାରାଷ୍ଟ୍ର ମେଂଟରେ ଫାଟ ବଢ଼ୁଛି । ଶିବସେନା ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଛି । ସଂଜୟ ରାଉତଙ୍କ ବୟାନ । ଭବିଷ୍ୟତରେ ଶିବସେନା ଓ ଏନସିପି ଏକାଠି ହୋଇ ନିଷ୍ପତି ନେବେ

155

କନକ ବ୍ୟୁରୋ: ମହାରାଷ୍ଟ୍ର ମେଂଟ ସରକାରରେ ଫାଟ ବଢ଼ି ବଢ଼ି ଚାଲିଛି । ବିଶେଷକରି ଶିବସେନା ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଥିବା ସାମ୍ନାକୁ ଆସୁଛି । ଉଭୟ ଶିବସେନା ଓ କଂଗ୍ରେସର ନେତାଙ୍କ ମଧ୍ୟରେ କଥା କଟାକଟି ଜାରି ରହିଛି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ନାନା ପଟୋଲୋ ଏକାକି ବିଧାନସଭା ନିର୍ବାଚନ ଲଢ଼ିବା କଥା କହିବା ପରେ କଡ଼ା ଜବାବ ରଖିଛି ଶିବସେନା । ଦଳର ମୁଖପାତ୍ର ସଂଜୟ ରାଉତ କହିଛନ୍ତି ଯେ, ଭବିଷ୍ୟତରେ ଶିବସେନା ଓ ଏନସିପି ଏକାଠି ହୋଇ ନିଷ୍ପତି ନେବେ ।

ମହାରାଷ୍ଟ୍ର ମେଂଟରେ ଏହି ବିବାଦ ଶିବସେନା ମୁଖପତ୍ର ସାମ୍ନାରେ ଏକ ଲେଖାରୁ ଆରମ୍ଭ ହୋଇଥିଲା । ସଂଜୟ ରାଉତ ସାମନାରେ ଲେଖିଥିଲେ, ଉଦ୍ଧବ ଠାକରେ ହିଁ ପାଂଚବର୍ଷ ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିବେ । ମୁଖ୍ୟମନ୍ତ୍ରୀ ପଦ କଂଗ୍ରେସ କିମ୍ବା ଏନସିପି ହାତକୁ ଯିବ ନାହିଁ । ତେବେ ସାମନାରେ ଏହି ଲେଖାପରେ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଥିଲା । ମହାରାଷ୍ଟ୍ର କଂଗ୍ରେସର ମୁଖ୍ୟ ନାନା ପଟୋଲେ ଶିବସେନାର କଥାକୁ କଡ଼ା ସମାଲୋଚନା କରିଥିଲେ । ପଟୋଲେ ଜବାବ ରଖି କହିଥିଲେ ଯେ, ଆଗାମୀ ସ୍ଥାନୀୟ ନିର୍ବାଚନ ଗୁଡ଼ିକ କଂଗ୍ରେସ ଏକାକି ଲଢ଼ିବ । ଏପରିକି ବିଧାନସଭା ନିର୍ବାଚନ ଏକାକି ଲଢ଼ିବା କଥା ମଧ୍ୟ ପଟୋଲେ କହିବାକୁ ଭୁଲି ନଥିଲେ ।

ଶିବସେନା ଓ କଂଗ୍ରେସ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଏନସିପି ନିଜକୁ ବିବାଦରୁ ଦୂରେଇ ରଖିବାକୁ ଉଚିତ ମଣିଛି । ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା । ମହାରାଷ୍ଟ୍ର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୮୮ ହୋଇଥିବା ବେଳେ ବିଜେପିକୁ ୧୦୫ ସିଟ୍ ମିଳିଥିଲା । କଂଗ୍ରେସ ୪୪, ଏନସିପି ୫୪ ଓ ଶିବସେନା ୫୬ଟି ଆସନ ପାଇଥିଲେ । ତେବେ ଶିବସେନା ଓ ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବୁଝାମଣା ହୋଇପାରି ନଥିଲା । ଶେଷରେ ଶିବସେନା ବହୁବର୍ଷର ସହଯୋଗୀ ବିଜେପିର ହାତ ଛାଡ଼ି ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିଥିଲା ।