କନକ ବ୍ୟୁରୋ : ମହାରାଷ୍ଟ୍ରର ରାଜନୈତିକ ମହାନାଟକ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦାଦା-ପୁତୁରା ଯୋଡ଼ିରେ ଫାଟ ହୋଇଥିବାବେଳେ ନିଜ ନିଜର ପତିଆରା ଜାହିର ରଖିଛନ୍ତି ଉଭୟ ଦାଦା ଓ ପୁତୁରା । ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଯୋଡ଼ି ଭାଙ୍ଗିବା ପରେ ମଧ୍ୟ ଅନେକ ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି । ତେବେ ଭାରତୀୟ ରାଜନୀତିରେ ଏଭଳି ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ସଫଳ ଦାଦା-ପୁତୁରାଙ୍କ ଯୋଡ଼ିରେ ଫାଟ ଉଠିଛି । କଥାରେ ଅଛି ପାନ, ଗୁଆ ଖଇର ଗୁଆ କାତି ଭଲ ବ୍ୟବସାୟ ରାଜନୀତି । ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ମଧ୍ୟ କୁହାଯାଏ । ଅନେକ ସମୟରେ ରାଜନୀତି ପାଇଁ ବହୁ ଚର୍ଚ୍ଚିତ ଯୋଡ଼ି ଭାଙ୍ଗଥିବା ମଧ୍ୟ ଆପଣ ଦେଖିଥିବେ । ପୁଅ ଟିକେଟ ପାଇବା ପାଇଁ ବାପାଙ୍କ ସହ ମଧ୍ୟ ଶତ୍ରୁତା କରୁଛି । ଏହି କ୍ଷମତା ପାଇଁ ସଫଳ ପାରିବାରିକ ଯୋଡ଼ିରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ । ଭାରତୀୟ ରାଜନୀତିରେ ଏଭଳି ଦାଦା-ପୁତୁରାଙ୍କ ଯୋଡ଼ିରେ ଫାଟ ଉଠିଛି । ଆସନ୍ତୁ ନଜର ପକାଇବା ଭାରତୀୟ ରାଜନୀତିରେ ସଫଳ ଦାଦା ପୁତୁରାଙ୍କ ଯୋଡ଼ି ଉପରେ..

Advertisment

ରାଜପଲ ଯାଦବ ଏବଂ ଅଖିଳେସ ଯାଦବ । ସମାଜବାଦୀ ପାର୍ଟିି ଏହି ସଫଳ ଦାଦା-ପୁତୁରା ଯୋଡ଼ି ଉତରପ୍ରଦେଶ ରାଜନୀତିରେ ଅନେକ ସଫଳତା ପାଇଥିବାବେଳେ ଶେଷରେ ଭାଙ୍ଗିଯାଇଥିଲା । ମୁଲାୟମ ସିଂ ଯାଦବ ସମାଜବାଦୀ ପାର୍ଟି ଦଳକୁ ଗଢ଼ିଥିବାବେଳେ ଭାଇ ଶିବପଲ ଯାଦବ ଦଳ ପାଇଁ ଅନେକ ପରିଶ୍ରମ କରି ତୃଣମୂଳସ୍ତରରେ ସୁଦୃଢ଼ କରିଥିଲେ । କିନ୍ତୁ ଯେତେବେଳେ ଅଖିଳେସ ରାଜନୀତିରେ ପ୍ରବେଶ କଲେ ସେତେବେଳେ ଧିରେ ଧିରେ ପରିବାରରେ ରାଜନୈତିକ ନିଅାଁ ଜଳିବା ଆରମ୍ଭ କରିଥିଲା । ୨୦୧୨ ୟୁପି ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ବହୁମତ ମିଳିଥିଲା । ସେତେବେଳେ ମୁଲାୟମସିଂ ନିଜ ପୁଅ ଅଖିଳେସ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ । ଶିବପାଲ ନିଜକୁ ମୁଲାୟମଙ୍କ ଉତରାଧିକାରୀଭାବେ ଭାବୁଥିବାବେଳେ ଅଖିଳେସ ନିଜର ରାସ୍ତା ଦେଖୁଥିଲେ । ୨୦୧୭ ୟୁପିରେ ସମାଜବାଦୀ ପାର୍ଟି ପରାଜିତ ହୋଇଥିଲା । ଏହାପରେ ଶିବପାଲ ୨୦୧୮ରେ ଦଳ ଭିତରେ ବିଦ୍ରୋହ କରିବା ଆରମ୍ଭ କରିଥିଲେ । ଆଉ ଦଳରୁ ବାହାରି ନିଜେ ଏକ ଦଳ ଗଠନ କରିଥିଲେ । ଶେଷରେ ଦାଦା-ପୁତୁରା ଯୋଡ଼ି ଭାଙ୍ଗି ଯାଇଥିଲା । ଯଦିଓ ପରବର୍ତୀ ସମୟର ପୁଣି ସେ ଦଳକୁ ଫେରିଥିଲେ ।

ମହାରାଷ୍ଟ୍ରର ଶିବସେନା ଦଳର ପ୍ରତିଷ୍ଠାତା ବାଲାସାହେବ ଠାକରେ ଏବଂ ପୁତୁରା ରାଜ ଠାକରେଙ୍କ ମଧ୍ୟରେ ସମାନ ବିବାଦ ଦେଖାଦେଇଥିଲା । ବାଲାସାହେବଙ୍କ ସାନଭାଇ ଶ୍ରୀକାନ୍ତ ଠାକରେ ପୁଅ ରାଜ ଠାକରେ ଶିବସେନାର ଛାତ୍ର ସଂଗଠନ ଭାରତୀୟ ବିଦ୍ୟା ସେନାର ଶୁଭାରମ୍ଭ ସହ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୦ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ । ବାଲାସାହେବଙ୍କ ପରେ ସେ ଦଳର ଦ୍ୱିତୀୟ କ୍ଷମତାଶାଳୀ ନେତା ଥିଲେ । କିନ୍ତୁ ଯେତେବେଳେ ଉଦ୍ଧବ ଠାକରେଙ୍କୁ ଦଳରେ ଅଧିକ ପ୍ରାଧାନ୍ୟ ଦିଆଗଲା ୨୦୦୫ ମସିହାରେ ଶିବସେନା ଛାଡ଼ିଥିଲେ ରାଜ ଠାକରେ । ୨୦୦୬ ମସିହାରେ ନବନିର୍ମାଣ ସେନା ଗଠନ କରିଥିଲେ । କୁହାଯାଉଥିଲା କି, ବାଲାସାହେବ ଠାକରେଙ୍କ ମୃତ୍ୟୁ ପରେ ଉଦ୍ଧବ ଏବଂ ରାଜ ଠାକରେ ଏକାଠି ହେବେ । କିନ୍ତୁ ଏହା ହୋଇପାରିଲା ନାହିଁ ।

ମହାରାଷ୍ଟ୍ର ଭଳି ପଞ୍ଜାବ ରାଜନୀତିରେ ପ୍ରକାଶ ସିଂ ବାଦଲ ଏବଂ ମନପ୍ରୀତ ସିଂ ବାଦଲ । ଏହି ଦାଦା ପୁତୁରାଙ୍କ ଯୋଡ଼ି ରାଜନୀତି ମଇଦାନରେ ଚର୍ଚ୍ଚାରେ ରହୁଥିଲେ । ୧୯୯୫ ମସିହାରେ ମନପ୍ରୀତ ପ୍ରଥମଥର ପାଇଁ ବିଧାୟକ ହେବା ସହ ଲଗାତାର ୪ଥର ଅକାଳି ଦଳରୁ ଜିତିଥିଲେ । ୨୦୦୭ ମସିହାରେ ପ୍ରକାଶ ସିଂ ବାଦଲଙ୍କ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ । କିନ୍ତୁ ପରିବାରରେ ଲାଗିଥିଲା ବିଦ୍ରୋହର ନିଅାଁ । ପ୍ରକାଶ ତାଙ୍କ ପୁଅ ସୁଖବୀର ସିଂଙ୍କୁ ଅଧିକ ପ୍ରାଧାନ୍ୟ ଦେବା ପରେ ପୁତୁରା ମନପ୍ରୀତ ଖୋଲାଖୋଲିଭାବେ ଦଳ ବିରୋଧରେ ବିଷୋଦଗାର କରିଥିଲେ । ଦଳ ବିରୋଧୀ ମନ୍ତବ୍ୟ ପାଇଁ ୨୦୧୦ରେ ତାଙ୍କୁ ବହିସ୍କାର କରାଯାଇଥିଲା । ୨୦୧୧ ମସିହାରେ ପିପୁଲ ଫର ପାର୍ଟି ନାମରେ ଏକ ଦଳ ଗଠନ କରିଥିଲେ ଏବଂ ୨୦୧୨ ମସିହାରେ ୨ଟି ଆସନରୁ ଲଢ଼ି ପରାସ୍ତ ହୋଇଥିଲେ ମନପ୍ରୀତ । ପରେ ୨୦୧୬ରେ ମନପ୍ରୀତ ତାଙ୍କଦଳକୁ କଂଗ୍ରେସ ସହ ମିଶାଇଦେଇଥିଲେ । କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏବେ ସେ ବିଜେପି ଦଳରେ ଅଛନ୍ତି ।

ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମବିଳାଶ ପଶୱାନଙ୍କ ମୃତ୍ୟୁ ପରେ ଦଳ ଭାଙ୍ଗିଯାଇଥିଲା । ୨୦୨୦ ଅକ୍ଟୋବର ୮ ତାରିଖରେ ଭାଇ ପଶୁପତି ନାଥ ପରାସ ଏବଂ ପୁଅ ଚିରାଗଙ୍କ ମଧ୍ୟରେ ରାଜନୈତିକ ଉତରାଧିକାରୀକୁ ନେଇ ଯୁଦ୍ଧ ଆରମ୍ଭ ହୋଇଥିଲା । ଦଳ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ପୂର୍ବରୁ ଏକାଠି ଦଳ ପାଇଁ କାମ କରୁଥିବା ଦାଦା-ପୁତୁରା ଯୋଡ଼ି ଭାଙ୍ଗିବା ସହ ରାଜନୈତିକ ମଇଦାନରେ ଶତ୍ରୁ ହୋଇଥିଲେ ।
ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ଯୋଡ଼ି । ଯଦିଓ ଉଭୟ ଦାଦା-ପୁତୁରା ନୁହଁନ୍ତି କିମ୍ବା ରକ୍ତର ନୁହେଁ ତଥାପି ଏମାନଙ୍କ ଯୋଡ଼ିକୁ ଦାଦା-ପୁତୁରା ଯୋଡ଼ି ବୋଲି କୁହାଯାଏ । ଜଣେ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟଜଣେ ଉପ-ମୁଖ୍ୟମନ୍ତ୍ରୀ । ବିହାର ରାଜନୀତିରେ ଉଭୟଙ୍କ ଯୋଡ଼ି ସୁପରହିଟ ମଧ୍ୟ ହୋଇଛି । ଲାଲୁ ଯାଦବଙ୍କ ପୁଅ ହେଉଛନ୍ତି ତେଜସ୍ୱୀ । ଏମାନେ ପୂର୍ବରୁ ରାଜନୈତିକ ମଇଦାନରେ ବିରୋଧୀ ହୋଇଥିଲେ । କିନ୍ତୁ ଏବେ ଉଭୟ ଏକାଠି ଅଛନ୍ତି ।