କନକ ବ୍ୟୁରୋ: ଶେଷ ହେବ ସବୁ ସସପେନ୍ସ, ସନ୍ଧ୍ୟାରେ ଆସିବ ‘ମହା’ ସରକାର । ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍ ପାୱାର ଇସ୍ତଫା ଦେବାପରେ ଦୋହଲିଗଲା ଦେବେନ୍ଦ୍ରଙ୍କ ଗଡ଼ । ଫ୍ଲୋରଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଦେଲେ ଇସ୍ତଫା । ଆଉ ଆରମ୍ଭ ହେଲା ନୂଆ ସରକାରର ଅଙ୍କକଷା । ସୂତ୍ରମୁତାବକ, ସନ୍ଧ୍ୟା ୭ଟାରେ ମହାରାଷ୍ଟ୍ର ମଙ୍ଗ ଧରିବା ପାଇଁ ରାଜ୍ୟପାଳଙ୍କୁ ଭେଟିବେ ମହାମେଣ୍ଟ-କଂଗ୍ରେସ-ଏନସିପି ଓ ଶିବସେନା । ଆଉ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇପାରନ୍ତି ।

Advertisment

ଘଡ଼ିକେ ଘୋଡ଼ା ଛୁଟୁଥିବା ଭଳି ମହାରାଷ୍ଟ୍ରରେ ନାଟକରେ ନୂଆ ମୋଡ଼ । ଗେରୁଆ କ୍ୟାମ୍ପରୁ ଗୋଡ଼ କାଢ଼ିବା ପରେ ଅଜିତ୍ ବଢ଼ାଇଲେ ଅଡୁଆ । ଫ୍ଲୋରଟେଷ୍ଟ ପୂର୍ବରୁ ଦେବେନ୍ଦ୍ରଙ୍କୁ ରନ୍ ଆଉଟ୍ କରିଦେଲେ ଅଜିତ୍ । ଅଧୁରା ରହିଗଲା ଦେବେନ୍ଦ୍ରଙ୍କ ଦ୍ୱିତୀୟ ଇନିଂସ ସ୍ୱପ୍ନ । ଆଉ ପୁଣି ଆରମ୍ଭ ହେଲା ନୂଆ ସରକାର ନେଇ ଅଙ୍କ କଷା । ତେବେ ମହାରାଷ୍ଟ୍ରରେ ଖୁବଶୀଘ୍ର ‘ମହା’ମେଣ୍ଟ ସରକାର ଗଢ଼ିବାକୁ ଯାଉଛି । ସେଥିଲାଗି ସନ୍ଧ୍ୟା ୭ଟାରେ ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇପାରନ୍ତି ଏନସିପି-କଂଗ୍ରେସ ଓ ଶିବସେନା ।

ସେପଟେ ‘ସେନା’କୁ ମିଳିପାରେ ନୂଆ ସରକାରର ମଙ୍ଗ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଉଦ୍ଧବ ଠାକରେ ମହାରାଷ୍ଟ୍ର ମହାମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ଏକ ପ୍ରକାର ସ୍ଥିର ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଅଜିତ୍ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏବେ ବିଜେପିର ସରକାର ଗଠନ ସ୍ୱପ୍ନ ପୂରା ଭାଙ୍ଗି ଚୁରମାର ହୋଇଯାଇଛି । ଆଉ କିଛି ସମୟ ପରେ ‘ମହା’ମେଣ୍ଟ ସରକାର ଆସିବା ନେଇ ଅପେକ୍ଷା କରାଯାଉଛି ।