ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରାଜନୈତିକ ଛକାପଂଝା । ଶରଦଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଂଜୟ, କହିଲେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଏନସିପି ମୁଖ୍ୟଙ୍କ ଆଭିମୁଖ୍ୟ ।

243

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଛିଣ୍ଡୁନି ଅଙ୍କ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ବେଳେ ଜାରି ରହିଛି ରାଜନୈତିକ ଛକାପଂଝା । ଦୁଇ ଦିନରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୁଇଟି ବୟାନ ଶିବସେନାର ଦ୍ୱନ୍ଦ୍ୱ ବଢାଇଛି । ସେପଟେ ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଠନ ନେଇ ପୁଣି ଦାବି କରିଛି ଶିବସେନା ।

ରୋଚକ ହେଉଛି ମହାରାଷ୍ଟ୍ର ରାଜନୀତି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବୟାନ ଶିବସେନାକୁ ଦ୍ୱନ୍ଦ୍ୱରେ ପକାଇଛି । ଦୁଇ ଦିନରେ ଦୁଇଟି ଭିନ୍ନ ଭିନ୍ନ ମତ ରଖିଛନ୍ତି ଶରଦ ପାୱାର । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଶରଦ ପାୱାରଙ୍କ ଆଭିମୁଖ୍ୟ ବୁଝିବା ପାଇଁ କେଇ ଜନ୍ମ ଲାଗିଯିବ ବୋଲି କହିଛନ୍ତି ସଂଜୟ ରାଉତ । ଏହାସହ ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଢିବାକୁ ଦୃଢୋକ୍ତି ବାଢିଛନ୍ତି ଶିବସେନା ମୁଖପାତ୍ର ।

ଗତ ୨୪ଘଂଟା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୁଇଟି ଭିନ୍ନ ଭିନ୍ନ ବୟାନ ଶିବସେନାକୁ ଅଡୁଆରେ ପକାଇଛି । ମଙ୍ଗଳବାର ସଂସଦରେ ପହଂଚିଥିବା ଶରଦ ପାୱାରଙ୍କୁ ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରଶ୍ନ ପଚରାଯାଇଥିଲା । ତେବେ ଯିଏ ସରକାର ଗଠନ କରିବେ ତାଙ୍କୁ ଏହି ପ୍ରଶ୍ନ ପଚାରନ୍ତୁ ବୋଲି କହିଥିଲେ ଶରଦ ପାୱାର । ଠିକ୍ ସେହିପରି ସୋମବାର ଦିନ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏନସିପି ମୁଖ୍ୟ କହିଥିଲେ ଯେ ମହାରାଷ୍ଟ୍ରରେ ସରକାର ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ । କଂଗ୍ରେସ ଓ ଏନସିପି ମେଂଟ କରି ନିର୍ବାଚନ ଲଢିଥିଲେ ତେଣୁ ଆଗାମୀ ରଣନୀତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସେପଟେ ମଙ୍ଗଳବାର ଦିନ ଥିବା ଏନସିପି ଓ କଂଗ୍ରେସର ବୈଠକ ବାତିଲ ହୋଇଛି । ବୁଧବାର ଦିନ ଏହି ବୈଠକ ବସିବ । ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ନେଇ ଏହି ବୈଠକ ବସିବାକୁ ଥିବା ବେଳେ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ନେଇ ଏଥିରେ ଆଲୋଚନା ହୋଇପାରେ । ଦିଲ୍ଲୀ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଏକେ ଆଂଟୋନୀ, ମଲ୍ଲିକାର୍ଜୁନ ଖଡଗେ ଓ ଅହମଦ ପଟେଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମହାରାଷ୍ଟ୍ର ପ୍ରସଙ୍ଗରେ ଗୁରୁତ୍ୱୂପର୍ଣ୍ଣ ଆଲୋଚନା କରିଛନ୍ତି ।