କନକ ବ୍ୟୁରୋ : ମହାରାଷ୍ଟ୍ରର ଏନସିପି ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଉଭୟ ଅଜିତ୍ ଓ ଶରଦଙ୍କ ଗୋଷ୍ଠୀ ଗତକାଲି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି ଶରଦ ପାୱାର । ବୈଠକରେ କଣ ନିଷ୍ପତ୍ତି ନିଆଯିବ ଏବଂ କେଉଁ ବାବଦରେ ଆଲୋଚନା ହେବ ସେନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ଦଳର କାର୍ଯ୍ୟାଳୟ ସାମ୍ନାରେ ଅଜିତ ପାୱାରଙ୍କୁ ବିରୋଧ କରି ପୋଷ୍ଟର ମରା ଯାଇଛି । ଯେଉଁ ପୋଷ୍ଟରରେ ଅଜିତ ପାୱାରଙ୍କୁ ବାହୁବଳୀ ଫିଲ୍ମର କଟ୍ଟପାଙ୍କ ସହ ତୁଳନା କରାଯାଇଛି । ଯିଏ ପାୱାରଙ୍କୁ ପଛପଟୁ ଛୁରାଘାତ କରୁଛନ୍ତି ।

Advertisment

ଗୋଟିଏ ପଟେ ଦିଲ୍ଲୀରେ ଶରଦ ପାୱାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଥିବା ବେଳେ ଅନ୍ୟପଟେ ମୁମ୍ବାଇରେ ଅଜିତ ପାୱାରଙ୍କ ଗୋଷ୍ଠୀର ନେତା ଛଗନ ଭୁଜବଳ କହିଛନ୍ତି, ଆମ ପାଖରେ ୪୩ ବିଧାୟକଙ୍କର ସମର୍ଥନ ରହିଛି । କିଛି ବିଧାୟକ ଏବେ ବିଦେଶରେ ଅଛନ୍ତି । ସେହିଭଳି କିଛି ବିଧାୟକ ଗତକାଲି ରାତିରେ ଅଜିତ ପାୱାରଙ୍କୁ ଭେଟିଛନ୍ତି । ତେଣୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଛଗନ ।

ଏସବୁ ଭିତରେ ଅଜିତ୍ ପାୱାରଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଆରପିଆଇ ମୁଖ୍ୟ ରାମଦାସ ଅଠାୱାଲେ । ଅଜିତଙ୍କୁ ଭେଟିବା ପରେ ରାମଦାସ କହିଛନ୍ତି, ଅଜିତ ଠିକ୍ ନିଷ୍ପତ୍ତି ନେଇଛନ୍ତି । ମୁଁ କିଛି ବର୍ଷ ତାଙ୍କ ସହ କାମ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ନେଇ ଚାଲୁଛନ୍ତି । ଅଜିତ ପାୱାର କହିଥିଲେ, ଏଭଳି ଭାବନା ମୋ ମନରେ ଦୀର୍ଘ ଦିନରୁ ଥିଲା । ବିଜେପି ସହ ସରକାର ଗଢିବାକୁ ଏନସିପି ଭିତରେ ୨ରୁ ୩ ଥର ବୈଠକ ମଧ୍ୟ ହୋଇଛି । କିନ୍ତୁ ଏହାପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା ।