ମହାରାଷ୍ଟ୍ର ମହାଭାରତରେ ଭାରି ପଡୁଛି ସିନ୍ଦେଙ୍କ ପଲା, ଜାଣନ୍ତୁ ଆଗକୁ କଣ କଣ ଘଟିପାରେ !

242

କନକ ବ୍ୟୁରୋ : ମହାରାଷ୍ଟ୍ରର କ୍ଷମତା ସଂକଟ ଏବେ ରୋମଞ୍ଚକର ମୋଡରେ ପହଂଚିଛି । ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଏକ ଫଟୋ ଜାରି କରି ତାଙ୍କ ସମର୍ଥରେ ୪୯ ବିଧାୟକ ଥିବା କଥା ଦାବି କରିଛନ୍ତି  । ସେପଟେ ଶିବସେନା ପ୍ରମୁଖ ସଂଜୟ ରାୱତ ଗଣମାଧ୍ୟମକୁ କହିଛନ୍ତି କି ଆବଶ୍ୟକ ପଡିଲେ ସେ କଂଗ୍ରେସ ଓ ଏନସିପିର ହାତ ଛାଡିବାକୁ ପ୍ରସ୍ତୁତ । ଅନ୍ୟପଟେ ସୂତ୍ର ସୂଚନା ମୁତାବକ ବିଜେପି ପକ୍ଷରୁ ସିନ୍ଦେଙ୍କୁ ସରକାର ଗଠନ କରିବାକୁ ଅଫର ଦେଇଛି । ଏହା ଭିତରେ ଆଗକୁ କଣ କଣ ଘଟିବ ତାକୁ ନେଇ ରାଜନୈତିକ ବିଶ୍ଳେଷକମାନେ ଏକ ଅନୁମାନ ଲଗାଇଛନ୍ତି । ଆସନ୍ତୁ ପଢିବା ଆଗକୁ କଣ ଘଟିପାରେ !

  • ଏକନାଥ ସିନ୍ଦେ ଗୁହାଟୀରେ ରହି ଶିବସେନା ବିଧାୟକ ଦଳର ନେତା ହୋଇପାରନ୍ତି । ଏହାପରେ ବିଧାନସଭା ବାଚଷ୍ପତିଙ୍କ ନିକଟକୁ ମେଲ କିମ୍ବା ଚିଠି ଳେଖି ବିଧାନସଭାରେ ତାଙ୍କ ମେଣ୍ଟକୁ ଅସଲି ଶିବସେନା ଘୋଷଣା କରିବାକୁ ଦାବି କରିପାରନ୍ତି ।
  • ଏକନାଥ ସିନ୍ଦେ ରାଜ୍ୟପାଳଙ୍କ ନିକଟରେ ବିଜେପି ସମର୍ଥନରେ ସରକାର ଗଠନ କରିବାକୁ ଦାବି କରିପାରନ୍ତି । ରାଜ୍ୟପାଳ କରୋନା ସଂକ୍ରମିତ ହୋଇ ସଂଗରୋଧରେ ଥିଲେ ବି ସେ ଶିବସେନାକୁ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି । ଯଦି ଫ୍ଲୋର ଟେଷ୍ଟ ହେବ ତେବେ ବାଚଷ୍ପତି ପଲା ବଦଳାଇ ପାରନ୍ତି । ବାଚଷ୍ପତି ଶିବସେନାର ଆବେଦନକ୍ରମେ ବିଦ୍ରୋହୀ ବିଧାୟକଙ୍କ ଉପରେ ଦଳବଦଳ ଆଇନ ଲଗାଇ ପାରନ୍ତି ।
  • ସେପଟେ ଉଦ୍ଧବ ଠାକରେଙ୍କ ସମର୍ଥନରେ ଏବେ ଶିବସେନାର ମାତ୍ର ୧୩ ଜଣ ବିଧାୟକ ଅଛନ୍ତି । ସେପଟେ ସଞ୍ଜୟ ରାୱତ ବିଦ୍ରୋହୀ ବିଧାୟକଙ୍କୁ ମୁମ୍ବାଇ ଡାକିଛନ୍ତି । ଏହି କ୍ରମରେ ବିଦ୍ରୋହୀ ବିଧାୟକ ମୁମ୍ବାଇରେ ପହଂଚିବା ପରେ ସଞ୍ଜୟ ରାୱତ ସେମାନଙ୍କୁ ବୁଝାଇ ପୁଣି ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରିପାରନ୍ତି ।
  • ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋଶିୱାରୀଙ୍କୁ କରୋନା ହୋଇଥିବା କାରଣରୁ କେନ୍ଦ୍ର ସରକାର ଗୋଆର ରାଜ୍ୟପାଳ ଶ୍ରୀଧରନ ପିଲାଇଙ୍କୁ ମହାରାଷ୍ଟ୍ରର କାର୍ଯ୍ୟଭାର ଦେଇପାରନ୍ତି । ଶ୍ରୀଧରନ ସିନ୍ଦେ ସମର୍ଥନରେ ଥିବା ବିଧାୟକଙ୍କୁ ପ୍ୟାରେଡ କରାଇପାରନ୍ତି । ଏସବୁ ଘଟଣା ପାନାଜୀରେ ହେଲେ ଉଦ୍ଧବ ଠାକରେ ସଂପର୍କ ସିନ୍ଦେ ସହିତ ହେବା କଷ୍ଟକର ହୋଇପଡିବ ।
  • ଯଦି ଫ୍ଲୋର ଟେଷ୍ଟ ନେଇ ଶିବସେନା କିଛି ଗଡବଡ କରେ ତେବେ ବିଜେପି ଓ ସିନ୍ଦେ ସମର୍ଥକ ଆଇନର ଆଶ୍ରୟ ନେଇ ପାରନ୍ତି । ଏଭଳି ମାମଲାରେ ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟ ଏକ ନିଶ୍ଚିନ୍ତ ସର୍ତ ସହିତ ନିର୍ଦ୍ଧିଷ୍ଟ ସମୟରେ ଫ୍ଲୋର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି ।
  • ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସିନ୍ଦେଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ଧରି ରାଜ୍ୟପାଳଙ୍କ ନିକଟରେ ପହଂଚି ସରକାର ଗଠନ କରିବାକୁ ଦାବି କରିପାରନ୍ତି । ଏହା ହେଲେ ରାଜ୍ୟପାଳ ଫ୍ଲୋର ଟେଷ୍ଟପାଇଁ ନିର୍ଦ୍ଦେଶ ଦେବେ । ଫ୍ଲୋରଟେଷ୍ଟରେ ଶିବସେନା ପାଖରେ ବହୁମତ ନଥିବାରୁ ସରକାର ବିଶ୍ୱାସମତ ହରାଇବ । ଏହାପରେ ବିଜେପି ସିନ୍ଦେ ସମର୍ଥନରେ ଥିବା ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାରେ ସଫଳ ହେବେ ।
  • ଉପର ଲିଖିତ ସବୁ ସମ୍ଭାବନା ସଫଳ ସେତେବେଳେ ହେବ ଯେତେବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ହେଲେ ଏବେ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେବାର ସମ୍ଭାବନା କମ ହୋଇଛି । ଯଦି ଉଦ୍ଧବ ଠାକରେ ନିଜଆଡୁ ଇସ୍ତଫା ଦେଉଛନ୍ତି ତେବେ ବିଜେପି ଓ ସିନ୍ଦେଙ୍କୁ ମିଳିତ ଭାବେ ସରକାର ଗଠନ କରିବାରେ ସୁବିଧା ହେବ । ରାଜ୍ୟପାଳ ନୂଆ ସରକାର ଗଠନ ପାଇଁ ରାଜ୍ୟର ସବୁଠାରୁ ବଡ ଦଳ ବିଜେପିକୁ ନିମନ୍ତ୍ରଣ କରିବ । ସିନ୍ଦେ ସମର୍ଥକଙ୍କ ସହାୟତାରେ ବିଜେପି ସରକାର ଗଠନ କରିବାରେ ସଫଳ ହେବ ।