ଏନସିପିର ଦୁଇ ଗୋଷ୍ଠୀ ମଧ୍ୟରେ ବଢ଼ିଲା ବିବାଦ : ବାଚସ୍ପତିଙ୍କୁ ଚିଠି ଲେଖିଲେ ଶରଦ ପାୱାରଙ୍କ ଗୋଷ୍ଠୀ; ଶପଥ ନେଇଥିବା ୯ ବିଧାୟକଙ୍କ ପଦ ରଦ୍ଦ ଦାବି

183

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରବିବାର ଯେଉଁ ରାଜନୈତିକ ଝଡ଼ ଆସିଥିଲା, ତାହା କେହି କେବେ କଳ୍ପନା କରିନଥିଲେ । ହଠାତ୍ ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକ ବିଧାୟକଙ୍କ ସହ ରାଜଭବନ ପହଞ୍ଚିଥିଲେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଯାହା ପରେ ରାଜନୀତି ସରଗରମ ହୋଇଛି ।

ମହାରାଷ୍ଟ୍ର ରାଜନୀତିରେ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ । କହିଛନ୍ତି, ଅଜିତ୍ ପାୱାରଙ୍କ ପ୍ରତି ସର୍ବଦା ତାଙ୍କ ଭଲପାଇବା ରହିଛି । ତାଙ୍କ ସହ କୌଣସି ମତଭେଦ ନାହିଁ । ଯଦି ଅଜିତ ପାୱାର ଫେରନ୍ତି, ବହୁତ ଖୁସି ହେବେ ବୋଲି ସୁପ୍ରିୟା କହିଛନ୍ତି । ସୁପ୍ରିୟା ଆହୁରି କହିଛନ୍ତି, ଅଜିତ ପାୱାର ଏବେବି ତାଙ୍କ ଭାଇ ହୋଇ ରହିଛନ୍ତି । ଆଗକୁ ମଧ୍ୟ ଉଭୟଙ୍କ ସମ୍ପର୍କ ଭଲ ରହିବ ।

ଏନସିପି ଦୁଇଭାଗ ପରେ ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି ଦୁଇ ଗୋଷ୍ଠୀ । ଶକ୍ତିପ୍ରଦର୍ଶନ ପାଇଁ ଏନସିପିର ଦୁଇଗୋଷ୍ଠୀ ଆସନ୍ତା ୫ ତାରିଖରେ ବିଧାୟକ ଦଳ ବୈଠକ ଡାକିଛନ୍ତି । ଅଜିତ ପାୱାର ଏନସିପିର ଚିହ୍ନ ପାଇଁ ଦାବି କରିବେ ବୋଲି ଜଣାପଡିଛି । ଅଜିତ ପାୱାରଙ୍କ ସହ ଏନସିପିର ୯ ବିଧାୟକ ମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରୀ ଭାବେ ଶପଥ ନେବା ପରେ ଏନସିପିର ଅଫିସରୁ ସମ୍ପୃକ୍ତ ନେତାଙ୍କ ଫଟୋ ହଟାଇ ଦିଆଯାଇଛି ।

ମାତ୍ର ଘଣ୍ଟାକ ପୂର୍ବରୁ ଯିଏ ବିରୋଧୀ ଦଳ ନେତା ଥିଲେ, ସେ ମାତ୍ର ଘଣ୍ଟାକ ପରେ ଉପମୁଖ୍ୟମନ୍ତ୍ରୀ ଭବେ ଶପଥ ନେଲେ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାର ଓ ତାଙ୍କ ସମର୍ଥକ । ଏହସହ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବରୁ ମଧ୍ୟ ଅଜିତ ପାୱାର ବିଜେପି ସହ ହାତ ମିଳାଇ ମାତ୍ର କିଛି ଘଂଟାର ସରକାର ଗଢ଼ିଥିଲେ, ହେଲେ ପରେ ବିଜେପିର ହାତ ଛାଡ଼ି ବଡ଼ ଚକ୍ମା ଦେଇଥିଲେ । ତେଣୁ ଏବେକାର ମହାରାଷ୍ଟ୍ର ସ୍ଥିତି ଉପରେ ସାରା ଦେଶର ନଜର ରହିଛି ।