ସୁପ୍ରିମକୋର୍ଟରେ ଆରମ୍ଭ ହେଲା ମହାରାଷ୍ଟ୍ର ମହାଶୁଣାଣି । ଫଡନବୀଶଙ୍କୁ କେଉଁ ଆଧାରରେ ସରକାର ଗଢିବାକୁ ଡାକିଥିଲେ ରାଜ୍ୟପାଳ, ସୁପ୍ରିମକୋର୍ଟରେ ଉତ୍ତର ରଖିଲେ ସଲିସିଟର ଜେନେରାଲ ।

569

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆରମ୍ଭ ହେଲା ମହାରାଷ୍ଟ୍ର ମାମଲାର ମହାଶୁଣାଣି । ଶିବସେନା, କଂଗ୍ରେସ ଓ ଏନସିପିର ରିଟ୍ ପିଟିସନ ଉପରେ ଶୁଣାଣି ଆରମ୍ଭ କଲେ ସୁପ୍ରିମକୋର୍ଟ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉଭୟ ରାଜ୍ୟପାଳ ଓ ଅଜିତ ପାୱାରଙ୍କ ଚିଠି ୩ ଜଣିଆ ଖଣ୍ଡପୀଠ ଆଗରେ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ବିଧାୟକ ମାନଙ୍କ ସମର୍ଥନ ଥିବା ନେଇ ଦସ୍ତଖତ ରହିଛି । ବିଜେପିର ୧୦୫ ଓ ଅଜିତ ପାୱାର ୫୪ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେବା ପରେ ଫଡନବୀଶଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରାଯାଇଥିଲା ବୋଲି ସଲିସିଟର ଜେନେରାଲ କହିଛନ୍ତି । ରାଜ୍ୟପାଳଙ୍କ ନିକଟକୁ ଚିଠି ଆସିବା ପରେ ସେ ଏଭଳି ନିଷ୍ପତି ନେଇଥିଲେ ।
ତେବେ ଏହି ମାମଲାରେ ବିଜେପି ପାଇଁ ମୁକୁଲ ରୋହତଗୀ ଲଢୁଥିବା ବେଳେ କଂଗ୍ରେସ-ଏନସିପି ପାଇଁ ଅଭିଷେକ ମନୁ ସିଂଘଭି ଓ ଶିବସେନାର ପକ୍ଷ ରଖୁଛନ୍ତି କପିଲ ଶିବଲ । ତେବେ ଏହି ମହା ମାମଲାର ଶୁଣାଣି ପରେ ସୁପ୍ରିମକୋର୍ଟ କଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଏହାପୂର୍ବରୁ କଂଗ୍ରେସ-ଏନସିପି-ଶିବସେନା ନିଜ ରିଟ୍ ପିଟିସନରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀଶ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ ଗ୍ରହଣକୁ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଥିଲେ । ଏପରିକି ବିନା ବହୁମତରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ରେ ଫଡନବୀଶ ଶପଥ ନେଇଥିବା ଦର୍ଶାଇଥିଲେ । ତେଣୁ ଯଥାଶୀଘ୍ର ଏହି ମାମଲାର ଶୁଣାଣି କରି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ଜଣାଇଥିଲେ ୩ ଦଳ ।