ବର୍ଷେ ପରେ ୯ ବର୍ଷର ଦୁଷ୍କର୍ମ ପୀଡ଼ିତାକୁ ମିଳିଲା ନ୍ୟାୟ : ନବବଧୂ ଭଳି ସଜେଇ ହେଲା ଥାନା । ବାଣ ଫୁଟିଲା , ମିଠେଇ ବଣ୍ଟାଗଲା , ଖୁସିରେ ନାଚିଲେ ଗ୍ରାମବାସୀ । 

928

୧୯୪୭ ମସିହାରେ ଦେଶ ଅବଶ୍ୟ ସ୍ୱାଧୀନତା ପ୍ରାପ୍ତ କରିଥିଲା , କିନ୍ତୁ ଆଜିର ଦିନରେ ବି ଜଣେ ଝିଅ ରାସ୍ତାରେ ନିରାପଦରେ ରହିପାରୁନି । କେତେବେଳେ ଅଭଦ୍ର କମେଣ୍ଟ୍ ତ ଆଉ କେତେବେଳେ ଅସଦାଚରଣ , ଆକଟ କଲେ ଦୁଷ୍କର୍ମର ଶିକାର । ଏଭଳି ଅନେକ ଅସାମାଜିକ ପଥ ଦେଇ ଗତି କରେ ଜଣେ ନାରୀ । ଅନେକ ସମୟରେ ନ୍ୟାୟର ଗୁହାରୀ ଲଗାଏ ପୀଡ଼ିତା , ହେଲେ କାହାକୁ ନ୍ୟାୟ ମିଳେ ତ ଆଉ କାହାର ଅଭିଯୋଗ କାଗଜପତ୍ରରେ ସୀମିତ ହୋଇ ରହିଯାଏ । କିନ୍ତୁ ବର୍ତ୍ତମାନର ଘଟଣା ନାରୀଙ୍କ ପ୍ରତି ଥିବା ସମ୍ମାନକୁ ଦ୍ୱିଗୁଣିତ କରିଦେବ ଏଥିରେ ତିଳେ ସନ୍ଦେହ ନାହିଁ ।

ବର୍ଷେ ତଳେ ମହାରାଷ୍ଟ୍ରର ବୁଲଢାଣାରେ ଜଣେ ୯ ବର୍ଷର କୁୁନିଝିଅକୁ ୨ ଜଣ ସଇତାନ ମିଶି ଅତିନିର୍ମମ ଭାବରେ ଦୁଷ୍କର୍ମ କରିଥିଲେ । ଏପ୍ରିଲ୍ ୨୬ ତାରିଖ ୨୦୧୯ ରାତିରେ ବୁଲଢାଣାର ଚିଖଲି ଅଞ୍ଚଳରେ ସାଗର ବିଶ୍ୱନାଥ ଏବଂ ନିଖିଲ୍ ଶିବାଲୀ ନାମକ ୨ ଜଣ ଯୁବକ ଶୋଇବା ଅବସ୍ଥାରେ ଝିଅଟିକୁ ଘରୁ ଉଠାଇନେଇ ଅତିନୃଶଂସ ଭାବରେ ଦୁଷ୍କର୍ମ କରିଥିଲେ । ଘଟଣା ପରେ ପୀଡ଼ିତାର ଅବସ୍ଥା ଖୁବ୍ ସଂକଟାପର୍ଣ୍ଣ ଥିଲା । କିଛି ଦିନ କୁନିଝିଅଟି କୋମାରେ ମଧ୍ୟ ଚାଲିଯାଇଥିଲା । ଦୁଇ ଦୁଇଟି ମେଜର୍ ଅପରେସନ୍ ଏବଂ ଡ଼ାକ୍ତରଙ୍କ ଚିକିତ୍ସା ପରେ ଝିଅଟିର ସ୍ୱାସ୍ଥ୍ୟରେ ଏବେ ସୁଧାର ଆସିଛି ।

ତେବେ ଏହି ଘଟଣାରେ ଝିଅଟିକୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ଏବଂ ଚିଖଲୀ ପୁଲିସ୍ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଲାଇଥିଲେ । ପୀଡ଼ିତାକୁ ନ୍ୟାୟ ଦେବାପାଇଁ ପୁଲିସ୍ ଝିଅଟିର ପରିବାରକୁ ଯଥାସମ୍ଭବ ସାହାଯ୍ୟ କରିଥିଲେ । ଆଉ ବର୍ଷେ ପରେ ଝିଅଟିକୁ ଏବେ ନ୍ୟାୟ ମିଳିଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ସ୍ପେଶାଲ୍ କୋର୍ଟ ଦଣ୍ଡ ଶୁଣାଇଛନ୍ତିି ଏବଂ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ପରେ ଖୁସି ମନାଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଲୋକ ମିଶି ଚିଖଲୀ ପୁଲିସ୍ ଷ୍ଟେସନକୁ ନବବଧୂ ଭଳି ସଜେଇ ଦେବା ସହ ମିଠେଇ ବାଣ୍ଟି , ବାଣ ଫୁଟାଇ ଖୁସି ବ୍ୟକ୍ତ କରିଛନ୍ତି ।