ମେଲାଣୀ ନିଏନି ମାଆ… ଯେବେ ଯେବେ ସଙ୍କଟ ଆସିଛି ମାଆ ଭିନ୍ନ ଭିନ୍ନ ରୂପରେ ସାମ୍ନାକୁ ଆସିଛି । ମାଆ ଯାଏନି, ମେଲାଣୀ ନିଏନି…

511

କନକ ବ୍ୟୁରୋ: ମଣିଷ ଏକ, ରୂପ ଅନେକ । ମମତା ଏକ, ଅବତାର ଅନେକ । କେବେ ସେ ମମତାର ମନ୍ଦିର ତ କେବେ ଦୟାର ଭଣ୍ଡାର । ପାଟି ଖୋଲି କହିପାରୁନଥିବା ଭୋକର ଡାକ ଶୁଣି କେବେ ସେ ପେଟ ଭର୍ତ୍ତି ଖୁଆଏ ତ କେବେ ଶତ୍ରୁ ସହ ଲଢି ସିଂହବାହିନୀ ସାଜେ । ସେ ଜଳି ଜାଣେ, ଜାଳି ଜାଣେ । ମରି ଜାଣେ, ମାରି ବି ଜାଣେ । ଅନ୍ୟର ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାଇ ଦିଏ । ସବୁ କଷ୍ଟ, ସବୁ ଯନ୍ତ୍ରଣାକୁ ସହି ସମାଜ ସୁଧାରୁ ଥାଏ, ପରିବେଶ ସଫା କରୁଥାଏ… ନାରୀ ଗୋଟିଏ ଡାକରେ କୋଟିଏ ରୂପ…

କରୋନା କାଳରେ ଏ ସମାଜ ନାରୀଙ୍କ ଅନେକ ଶକ୍ତି ଦେଖିଛି, ଏ ଦେଶ ଅନେକ ରୂପର ବି ଦର୍ଶନ କରିଛି । ଭୋକ, ଭୟ, ସଂକ୍ରମଣ, ସନ୍ଦେହ ଭିତରେ ଅନେକ ଭଲ ଖବର, କେତେ କେତେ ସମ୍ମାନର ଚିତ୍ର ସାମ୍ନାକୁ ଆସିଛି । କେବେ ନାରୀଟିଏ ନିଜ କଅଁଳା ଛୁଆକୁ ଛାଡି କରୋନା ସହ ଲଢେଇ କରିଛି ତ କେବେ କରୋନା କବଜାରୁ ପିଲାକୁ ବଞ୍ଚାଇବାକୁ ସୁଟକେସରେ ଶୁଆଇ ଟାଣି ଟାଣି ନେଇଛି । ମେଡିକାଲରୁ ମଶାଣୀ, ରାଜରାସ୍ତାରୁ ସାଇନ୍ସ ଲ୍ୟାବ । ସଂକ୍ରମଣ ଛେନ ଭାଙ୍ଗିବାକୁ ସବୁଠି ନାରୀଶକ୍ତି ଜଗିଥିବା ଅନୁଭବ କରିଛି ଏ ଜଗତ ।

ଲକଡାଉନ ହେଉ କି ସଟଡାଉନ । ଭୂତାଣୁ ଭୟ ଭିତରେ ନାରୀ ନିଭେଇଥିବା ସବୁତକ ଦାୟିତ୍ୱକୁ ଗୋଟିଏ ଫ୍ରେମରେ ରଖି ଶତ ଶତ ସମ୍ମାନ ଦେଇଛନ୍ତି ମହାରାଷ୍ଟ୍ରର ଚିତ୍ରଶିଳ୍ପୀ ଉଦୟ ମୋହିତେ । ପ୍ରତି ମୁହୂର୍ତ୍ତରେ, ସବୁ ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଥିବା ସମସ୍ତ ମହିଳାଙ୍କୁ ଡିଜିଟାଲ ଆର୍ଟ ମାଧ୍ୟମରେ ସେ ସମ୍ମାନ ଦେଇଛନ୍ତି ।

ତେବେ ଲକଡାଉନ ବେଳର ମହିଳାଙ୍କ କଷ୍ଟକୁ ଦୁର୍ଗାପୂଜା ପେଣ୍ଡାଲରେ ପୁଣି ଦେଖିଛି ଦେଶ । କେଉଁଠି ଦାଦନ ରୂପରେ ମାଆ ଦୁର୍ଗା ଏଥର ପୂଜା ପାଇଥିବା ବେଳେ ଅନ୍ୟ କେଉଁଠି ମାଆ ଦୁର୍ଗାଙ୍କୁ ଡାକ୍ତର ନର୍ସ ରୂପରେ ଅବତାରଣା କରାଯାଇଛି । ପୂଜା ପାର୍ବଣର ଏ ମାହୋଲ ଭିତରେ ମେଲାଣୀ ନିଅନ୍ତି ମାଆ, ମୂର୍ତ୍ତୀ ବିସର୍ଜନ କରି ମାଆଙ୍କୁ ବିଦାୟ ଦିଆଯାଏ । ହେଲେ ସତରେ କଣ ମାଆ ଏ ଧରାରୁ ବିଦାୟ ନିଅନ୍ତି ? ସତରେ କଣ ମାଆ କିଛି ଦିନ ପାଇଁ ଧରାବତରଣ କରନ୍ତି ? ନାଃ, ମାଆ ଏଇଠି ଥାଆନ୍ତି, ଆମ ପାଖେ ପାଖେ ଥାଆନ୍ତି, ମାଆ ଯାଆନ୍ତିନି କିଆସନ୍ତିନି, ସେ ସମସ୍ତଙ୍କ ଭିତରେ ବୁଲୁଥାନ୍ତି ଏମିତି ରୂପରେ, ଏମିତି ଅବତାରରେ…