କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ, ଉଦ୍ଧବ ଠାକରେଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

211

କନକ ବ୍ୟୁରୋ : ମହାରାଷ୍ଟ୍ର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ପୋଲିସ କମିଶନର । ତାଙ୍କୁ ଗିରଫ କରିବାକୁ ଡିସିପି ସ୍ତରର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଗିରଫ ନୋଟିସରେ କୁହାଯାଇଛି କି ନାରାୟଣ ରାଣେ ଜଣେ ରାଜ୍ୟସଭା ସାଂସଦ ସହ କେନ୍ଦ୍ରମନ୍ତ୍ରୀ ଥିବାରୁ ତାଙ୍କୁ ଗିରଫ କରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ସୂଚନା ଦେଇ ପୁରା ପ୍ରକ୍ରିୟା ଶେଷ କରାଯିବ । ନାସିକ୍ ପୋଲିସ, ନାସିକ ସାଇବର ଟିମ ଓ ପୁଣେ ପୋଲିସ ନାରାୟଣ ରାଣେଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଦୁଇଦିନ ପୂର୍ବରୁ ମୁମ୍ବାଇରେ ବିଜେପି ଦ୍ୱାରା ଆୟୋଜିତ ହୋଇଥିବା ତ୍ରିରଙ୍ଗା ଯାତ୍ରାକୁ ନେଇ ନାରାୟଣ ରାଣେଙ୍କ ବିରୋଧରେ ୩୬ ଟି ମାମଲା ରୁଜୁ ହୋଇଛି । ପ୍ରଥମ ଦିନ ୧୯ ଟି ଓ ଦ୍ୱିତୀୟ ଦିନ ୧୭ ଟି ମାମଲା ରୁଜୁ ହୋଇଥିôଲା । ସୋମବାର ଦିନ ନାରାୟଣ ରାଣେ କହିଥିଲେ କି ରାଜ୍ୟର ସମସ୍ତ ବ୍ୟବସାୟ ଧ୍ୱଂସ ହୋଇଯାଇଛି । ୧୦ ବର୍ଷ ପର୍ଯ୍ୟନ୍ତ ବେପାରୀମାନେ ମୁଣ୍ଡ ଟେକି ଚାଲିପାରିବେ ନାହିଁ । ଏହା କେବଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କ ଭୂଲ ପରିଚାଳନା ଯୋଗୁଁ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ । ତାଙ୍କ ପାଇଁ ମହାରାଷ୍ଟ୍ରରେ ୧ ଲକ୍ଷ ୫୭ ହଜାର ଲୋକ ପ୍ରାଣ ହରାଇଛନ୍ତି ବୋଲି ସେ ତ୍ରିରଙ୍ଗା ଯାତ୍ରା ବେଳେ ଅଭିଯୋଗ ଆଣିଥିଲେ ।

ଉଦ୍ଧବ ଠାକରେଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ପରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବି ନାରାୟଣ ରାଣେଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ମହାରାଷ୍ଟ୍ର ପୋଲିସ କମିଶନର ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।