କନକ ବ୍ୟୁରୋ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପରିବର୍ତ୍ତନ ପରେ ଏବେ ମହାରାଷ୍ଟ୍ର ରାଜ୍ୟରେ ଦଳର ନେତୃତ୍ୱ ପରିବର୍ତ୍ତନ ହୋଇପାରେ । ଏନେଇ ଅଜିତ୍ ପାୱାରଙ୍କ ବାସଭବନରେ ଆଜି ଦଳର ବିଧାୟକମାନେ ବୈଠକ କରୁଛନ୍ତି । ବୈଠକରେ ସାମିଲ ହୋଇଥିବା ବିଧାୟକମାନେ ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ଏନସିପିର ଅଧ୍ୟକ୍ଷ କରିବାକୁ ଦାବି କରିଛନ୍ତି ।

Advertisment

ସେପଟେ କିଛିଦିନ ତଳେ ନିଜେ ଅଜିତ ପାୱାର ରାଜ୍ୟ ଅଧ୍ୟକ୍ଷ ହେବାକୁ ଇଚ୍ଛାବ୍ୟକ୍ତ କରିଥିଲେ । ସୂତ୍ର ସୂଚନା ମୁତାବକ ଏନେଇ ଅଜିତ ପାୱାର ଦଳର ମୁଖ୍ୟ ଶରଦ ପାୱାରଙ୍କ ଉପରେ ଚାପ ପକାଉଛନ୍ତି । ଏହାସହ କିଛିଦିନ ତଳେ ଅଜିତ ପାୱାର ନିଜେ କହିଥିଲେ କି ବିରୋଧୀଦଳର ନେତା ପଦରେ ରହିବାକୁ ସେ ଇଚ୍ଛୁକ ନୁହଁନ୍ତି । ଯଦି ପାର୍ଟି ତାଙ୍କୁ ନୂଆ ଦାୟିତ୍ୱ ଦେବ ତେବେ ସେ ତାହାକୁ ଠିକଭାବେ ତୁଲାଇବେ ବୋଲି କହିଥିଲେ । ଏବେ ଜୟନ୍ତ ପାଟିଲ ଦୀର୍ଘ ୫ବର୍ଷ ହେବ ଏନସିପି ରାଜ୍ୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ଅନ୍ୟପଟେ ଏନସିପି ମୁଖ୍ୟ ଶରଦ ପାୱାର କିଛିଦିନ ତଳେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବଡ ପରିବର୍ତ୍ତନ କରିଥିଲେ । ଏହି କ୍ରମରେ ଶରଦ ପାୱାର ନିଜ ଝିଅ ସୁପ୍ରିୟା ସୁଲେ ଓ ନେତା ପ୍ରଫୁଲ୍ଲ ପଟେଲଙ୍କ ହାତରେ ଦାୟିତ୍ୱ ଦେଇଥିଲେ । ଉଭୟଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା । ଶରଦ ପାୱାରଙ୍କ ଏଭଳି ନିଷ୍ପତ୍ତି ଅଜିତ ପାୱାରଙ୍କୁ ବଡ ଝଟକା ଦେଇଥିଲା । ଗୋଟିଏ ସମୟରେ ଅଜିତ ପାୱାରଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଦାବିଦାର ବୋଲି କୁହାଯାଉଥିବା ବେଳେ ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ କୌଣସି ପଦବୀ ମିଳି ନଥିଲା ।