ମହାରାଷ୍ଟ୍ରରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍ । ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏନସିପି ଓ ବିଜେପିର ବିରୋଧ

163

କନକ ବ୍ୟୁରୋ : ଦେଶରେ ପୁଣିଥରେ ବଢୁଥିବା କରୋନା ସଂକଟକୁ ନେଇ ଦେଶର ପ୍ରତିଟି ଲୋକ ଚିନ୍ତାବ୍ୟକ୍ତ କରୁଛନ୍ତି । ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ସରକାର ରାଜ୍ୟରେ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିବେ ବୋଲି ସଂକେତ ଦେଇଛନ୍ତି । ହେଲେ ସରକାରଙ୍କ ଲକଡାଉନକୁ ବିରୋଧ କରିଛନ୍ତି ସରକାରଙ୍କ ସହାଯୋଗୀ ଦଳ ଏନସିପି ଓ ବିରୋଧିଦଳ ବିଜେପି ।

କହିରଖୁ କି ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ କିଛି ଜିଲ୍ଲାରେ ରାଜ୍ୟସରକାରଙ୍କ ପକ୍ଷରୁ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ହେଲେ ଏହାଦ୍ୱାରା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମୁ ନଥିବାରୁ ପୁରା ରାଜ୍ୟରେ ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂକେତ ଦେଇଛନ୍ତି ।

ଏବେ ପୁରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଛି । ହେଲେ ସମ୍ପୂର୍ଣ୍ଣ ଲକଡାଉନ କଥା ଉଠିବା ପରେ ରାଜ୍ୟସରକାରରେ ମନ୍ତ୍ରୀଥିବା ଏନସିପି ନେତା ନୱାବ୍ ମଲ୍ଲିକ କହିଛନ୍ତି କି ଲୋକମାନେ ଯଦି ସଚେତନ ହୋଇ କୋଭିଡ୍ ନିୟମ ପାଳନ କରିବେ ତେବେ ଲକଡାଉନକୁ ରୋକାଯାଇ ପାରିବ । ଅନ୍ୟପଟେ ବିରୋଧୀ ଦଳ ବିଜେପି ନେତା ତଥା ରାଜ୍ୟ ପ୍ରମୁଖ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି କି କରୋନା ସଂକଟରୁ ରକ୍ଷା ପାଇବାକୁ ଲକଡାଉନ କେବଳ ବିକଳ୍ପ ନୁହେଁ । ଲକଡାଉନକୁ କେବଳ ବିଜେପି ନୁହେଁ ରାଜ୍ୟର ସାଧାରଣ ନାଗରିକ ଓ ବେପାରୀମାନେ ବିରୋଧ କରୁଥିବା କଥା ଶ୍ରୀ ପାଟିଲ୍ କହିଛନ୍ତି ।