କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ‘ମହାୟୁତି’ ସରକାର ଶାସନ କରୁଛି । ଯେଉଁଥିରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ, ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ଏହି ମହାୟୁତି ସରକାରରେ ବିଜେପି ସବୁଠୁ ବଡ ଦଳ ରହିଥିବାବେଳେ, ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ଏବଂ ଏନସିପିର ଅଜିତ୍ ପାୱାର ଗୋଷ୍ଠୀ ସହଯୋଗୀ ଦଳ ଭାବେ ରହିଛନ୍ତି । ତେଣୁ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ମେଣ୍ଟ ଏବଂ ମହାୟୁତି ମେଣ୍ଟ ଭିତରେ ଜୋରଦାର ଟକ୍କର ଦେଖିବାକୁ ମିଳିପାରେ ।

Advertisment

ସୂଚନାଯୋଗ୍ୟ ଯେ, ଅଜିତ ପାଓ୍ୱାର ଏନସିପି ଛାଡିବା ପରେ ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଣ୍ଟକୁ ଗତ ଗୋଟିଏ ବର୍ଷ ଭିତରେ ଦ୍ୱିତୀୟ ବଡ ଝଟକା ଲାଗିଛି । ଏହା ପୂର୍ବରୁ ଗତ ବର୍ଷ ଜୁନ୍ ମାସରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ଶିବସେନା ବିଧାୟକ ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ । ଯାହାଫଳରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗି ଯାଇଥିଲା । ଆଉ ଏହାପରେ ଏବେ ମହାୟୁତି ମେଣ୍ଟର ସରକାର ମହାରାଷ୍ଟ୍ରରେ ଜାରି ରହିଛି ।

ବର୍ତ୍ତମାନ କାହା ପାଖରେ କେତେ ସିଟ୍?

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି ହେଉଛି ସବୁଠୁ ବଡ ଦଳ । ମହାରାଷ୍ଟ୍ରରେ ବିଜେପିର ୧୦୬ ବିଧାୟକ ରହିଛନ୍ତି । ସେହିପରି ସିନେ୍ଧ ଗୋଷ୍ଠୀ ଶିବସେନାର ୪୦ ବିଧାୟକ, ଏନସିପି ପାଖରେ ୫୩, କଂଗ୍ରେସ ପାଖରେ ୪୪ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀ ପାଖରେ ୧୬ ବିଧାୟକ ରହିଛନ୍ତି । ବାକି ୨୯ ଜଣ ବିଧାୟକ ନିର୍ଦ୍ଦଳୀୟ ରହିଛନ୍ତି ।

ମହାୟୁତି ପାଖରେ କେତେ ଶକ୍ତି?

ଅଜିତ୍ ପାୱାରଙ୍କ ଦାବି ମୁତାବକ, ତାଙ୍କୁ ୫୩ରୁ ୪୦ ଏନସିପି ବିଧାୟକଙ୍କ ସମର୍ଥନ ରହିଛି । ଅର୍ଥାତ ଦୁଇ-ତୃତୀୟାଂଶରୁ ଅଧିକ । ହେଲେ ମିଳିଥିବା ରିପୋର୍ଟ ମୁତାବକ, ଅଜିତ ପାୱାରଙ୍କ ପାଖରେ ଏବେ କେବଳ ୨୪ ବିଧାୟକ ରହିଛନ୍ତି, ଯେତେବେଳେ କି ଶରଦଙ୍କ ପାଖରେ ୧୪ ବିଧାୟକଙ୍କ ସମର୍ଥନ ରହିଛି । ଏନସିପିର ୧୫ ବିଧାୟକ ଏବେ ବି କାହା ସପକ୍ଷରେ ଯିବେ ସେ ନେଇ ଦ୍ୱନ୍ଦରେ ରହିଛନ୍ତି ।

ତେଣୁ ଏପରି ସ୍ଥିତିରେ ଯଦି ନମ୍ବର ଗେମ୍ କଥା କହିବା, ତେବେ ମହାୟୁତି ପାଖରେ ବିଜେପି (୧୦୬ ବିଧାୟକ), ସିନ୍ଦେ ଗୋଷ୍ଠୀ ଶିବସେନା (୪୦ ବିଧାୟକ), ଅଜିତ ପାୱାର ଏନସିପି ଗୋଷ୍ଠୀ (୨୪), ମହୁଜନ ବିକାଶ ଅଘାଡିର ୩ ବିଧାୟକ, ପ୍ରହର ଜନଶକ୍ତି ପାର୍ଟିର ୨ ବିଧାୟକ, ରାଷ୍ଟ୍ରୀୟ ସମାଜ ପାର୍ଟି ଏବଂ ଜନସୁରାଜ ଶକ୍ତି ପାର୍ଟିର ଜଣେ ଲେଖାଏଁ ବିଧାୟକ ସହିତ ୧୩ ଜଣ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । ଯାହାକୁ ମିଶାଇଲେ ମୋଟ ସଂଖ୍ୟା ହେଉଛି ୧୯୦ ।

ସେହିପରି ସାଂସଦଙ୍କ କଥା ବିଚାରକୁ ଆଣିଲେ, ମହାରାଷ୍ଟ୍ରରେ ମୋଟ ୪୮ ସାଂସଦଙ୍କ ଭିତରୁ ବିଜେପିର ୨୨ ଜଣ ସାଂସଦ ରହିଛନ୍ତି । ଏହାସହ ସିନ୍ଦେ ଗୋଷ୍ଠୀର ୧୨ ସାଂସଦ, ଉଦ୍ଧବ ଗୋଷ୍ଠୀରେ ୬ ସାଂସଦ ଏବଂ ଏନସିପି ପାଖରେ ମୋଟ ୪ ଜଣ ସାଂସଦ ରହିଛନ୍ତି । ଏହାସହିତ କଂଗ୍ରେସ, ଏଆଇଏମଆଇଏମ୍ ଏବଂ ନିର୍ଦ୍ଦଳୀୟରେ ଜଣେ ଲେଖାଏଁ ସାଂସଦ ରହିଛନ୍ତି । ଏହାମଧ୍ୟରୁ ମହାୟୁତି ସରକାର ପାଖରେ ମୋଟ ୩୬ ଲୋକସଭା ସାଂସଦ (ବିଜେପିର ୨୨+ସିନ୍ଦେ ଗୋଷ୍ଠୀର ୧୨ ସାଂସଦ+ଅଜିତ ପାୱାରଙ୍କ ୧ + ଜଣେ ନିର୍ଦ୍ଦଳୀୟ ସାଂସଦ)ଙ୍କ ସମର୍ଥନ ରହିଛି ।

ମହାବିକାଶ ଅଘାଡି ପାଖରେ କେତେ ବିଧାୟକ?

ସିନ୍ଦେ ଗୋଷ୍ଠୀ ବିଜେପି ସହ ହାତ ମିଳାଇବା ପୂର୍ବରୁ ମହାବିକାଶ ଅଘାଡି ମେଣ୍ଟ ପାଖରେ ୧୫୩ ବିଧାୟକଙ୍କ ସମର୍ଥନ ରହିଥିଲା । ହେଲେ ଯେତେବେଳେ ସିନ୍ଦେ ଗୋଷ୍ଠୀ ଏମଭିଏ ମେଣ୍ଟରୁ ଅଲଗା ହେଇଥିଲେ, ସେତେବେଳେ ଏହି ସଂଖ୍ୟା ୧୧୩କୁ ଖସି ଆସିଥିଲା । ତେଣୁ ଏବେ ଯଦି ଏନସିପିର ମାତ୍ର ୧୪ ଜଣ ବିଧାୟକ ଶରଦ ପାୱାରଙ୍କ ସହ ରୁହନ୍ତି, ତେବେ ମହାବିକାଶ ଅଘାଡି ମେଣ୍ଟ ପାଖରେ କେବଳ ୭୪ ବିଧାୟକଙ୍କ ସମର୍ଥନ ରହିବ । ଅନ୍ୟପଟେ ଲୋକସଭା ସାଂସଦ କଥା କହିବାକୁ ଗଲେ, ଏବେ ମହାବିକାଶ ଅଘାଡି ମେଣ୍ଟ ପାଖରେ ୧୦ ସାଂସଦଙ୍କ ସମର୍ଥନ ରହିଥିଲାବେଳେ, ରାଜ୍ୟସଭାର ୯ ସାଂସଦଙ୍କ ସମର୍ଥନ ରହିଛି ।