ମହାରାଷ୍ଟ୍ର ମହାବିକାଶ ଅଘାଡିର ବଡ ଘୋଷଣା । ଏକାଠି ଲଢିବେ ଆଗାମୀ ବିଧାନସଭା ନିର୍ବାଚନ

690

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପରେ ପରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାବିକାଶ ଅଘାଡି ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା ପରେ ଏବେ ବିଧାନସଭା ନିର୍ବାଚନ ଏକାଠି ଲଢିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ ଠାକରେ, ଶରତ ପାୱାର ଓ କଂଗ୍ରେସ ନେତା ପୃଥୀରାଜ ଚୌହାଣ ଯୋଗ ଦେଇ ଏନଡି ମେଣ୍ଟକୁ ଟାର୍ଗେଟ କରିଛନ୍ତି । ଏହାସହ ମହାବିକାଶ ଅଘାଡି ଆଗାମୀ ବିଧାନସଭା ନିର୍ବାଚନରେ ମିଳିତ ଭାବେ ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଦେଇଛି ।

ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି କହିଥିଲେ କି, ମହାରାଷ୍ଟ୍ରରେ ଯେଉଁ ଯେଉଁ ଲୋକସଭା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ରୋଡ ସୋ’ କରିଛନ୍ତି ସେସବୁ ସ୍ଥାନରେ ଏନଡିଏର ପରାଜୟ ହୋଇଛି । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ପାୱାର କହିଛନ୍ତି କି, ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରରେ ଅଧିକରୁ ଅଧିକ ରୋଡ ସୋ ଓ ଜନସଭା କରନ୍ତୁ ବୋଲି ପାୱାର କହିଛନ୍ତି ।

ଉଦ୍ଧବ ଠାକରେ କହିଥିଲେ, କି ମହାରାଷ୍ଟ୍ରର ଜନତା ପ୍ରମାଣ କରିଦେଲେ ଯେ ବିଜେପି ବିରୋଧରେ ନିର୍ବାଚନ ଲଢାଯାଇପାରିବ । ଏ ଲଢେଇ ସମ୍ବିଧାନ ରକ୍ଷା କରିବା, ଲୋକତନ୍ତ୍ରକୁ ଜୀବୀତ ରଖିବାର ଲଢେଇ ବୋଲି ସେ କହିଛନ୍ତି । ଏବେ ମୋଦୀ ସରକାର ବଦଳି ଏନଡିଏ ସରକାର ହୋଇଛି, ଏହି ସରକାର କେତେ ଦିନ ଚାଲିବ ତାର କିଛି ଗ୍ୟାରେଣ୍ଟି ନାହିଁ ବୋଲି ଠାକରେ କହିଛନ୍ତି ।