ସୁପ୍ରିକୋର୍ଟରେ ପହଁଚିଲା ମହାରାଷ୍ଟ୍ର ଡ୍ରାମା! ସରକାର ବିବାଦ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ

455

କନକ ବ୍ୟୁରୋ: ମହାରାଷ୍ଟ୍ରର ମହାନାଟକ ସୁପ୍ରିମକୋର୍ଟରେ ପହଂଚିଛି । ମହାରାଷ୍ଟ୍ରର ନୂଆ ସରକାର ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଜି ଦିନ ୧୧ଟା ୩୦ ମିନିଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟର ଦ୍ୱିତୀୟ ନମ୍ବର କୋର୍ଟରେ ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । କାଲି ଶିବସେନା, ଏନସିପି ଓ କଂଗ୍ରେସ ସର୍ବୋଚ୍ଚନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସେହି ଆଦେଶକୁ ରଦ୍ଦ କରିବା ପାଇଁ ତିନି ଦଳ ଆବେଦନ କରିଛନ୍ତି ।

ଯେଉଁଥିରେ ଦେବେନ୍ଦ୍ର ଫଡନବୀସଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଥିଲା । ସୁପ୍ରିମକୋର୍ଟ ଶିବସେନା, ଏନସିପି ଓ କଂଗ୍ରେସର ଆବେଦନକୁ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ତିନି ଦଳ ଆବେଦନରେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି, ପ୍ରୋଟେମ ସ୍ପିକର ନିଯୁକ୍ତ କରି ତୁରନ୍ତ ବିଧାନସଭାର ଅଧିବେଶନ ଡାକି ବହୁମତ ସାବ୍ୟସ୍ତ କରାଯାଉ । ଯଦି ସମ୍ଭବ ତେବେ ରବିବାର ହିଁ ଫଡନବୀସ ସରକାରକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରିଛନ୍ତି ସେନା, ଏନସିପି ଓ କଂଗ୍ରେସ ।

ଆସ୍ଥାଭୋଟ ହିଁ ପ୍ରମାଣ କରିବ ଫଡନବୀସ ପାଖରେ ନା ଉଦ୍ଧବ ଠାକରେଙ୍କ ପାଖରେ ବହୁମତ ଅଛି ବୋଲି କହିଛନ୍ତି ଆବେଦନକାରୀ । ଏଥିସହ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୫୪ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି । ଏହାଛଡା ଏନସିପି, ଶିବସେନା ଓ କଂଗ୍ରେସକୁ ସରକାର ଗଠନ ପାଇଁ ତୁରନ୍ତ ଡାକିବାକୁ ରାଜ୍ୟପାଳ କୋଶ୍ୟାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଅନୁରୋଧ କରାଯାଇଛି । ଗତକାଲିର ରାଜନୈତିକ ଘଟଣାକ୍ରମ ଅନୁସାରେ ଫଡନବୀସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତିନି ରାଜନୈତିକ ଦଳ ଯାହାର ଶୁଣାଣି ଆଜି ହେବ ।