କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ୍ ସ୍କୁଲର ସମୟ ବଦଳାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଅନ୍ତତଃ ପିଲାମାନେ ପୁରା ନିଦ ଶୋଇପାରିବେ । ମଙ୍ଗଳବାର ରାଜ୍ୟ ଶିକ୍ଷା ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ।

Advertisment

ରାଜ୍ୟପାଳ କହିଛନ୍ତି ଯେ, କଥାରେ ଅଛି ଶୀଘ୍ର ଶୋଇ ଶୀଘ୍ର ଉଠିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ କିନ୍ତୁ ଆଜିକା ଦିନରେ ମଣିଷର ଜୀବନଚର୍ଯ୍ୟା ବଦଳିଛି । ପିଲାମାନଙ୍କ ଉପରେ ଏତେ ପଢା ଭାର ରହୁଛି ଯେ, ସେମାନେ ଡେରି ରାତି ଯାଏଁ ଉଜାଗର ରହି ପଢୁଛନ୍ତି ଏବଂ ସକାଳୁ ସ୍କୁଲ ପାଇଁ  ଶୀଘ୍ର ଉଠିବାକୁ ବାଧ୍ୟ ହେଉଛନ୍ତି । ଫଳରେ ସେମାନଙ୍କ ନିଦ ପୁରା ହୋଇପାରୁନି । ୩ ବର୍ଷର ଶିଶୁ ୧୨ରୁ ୧୫ ଘଣ୍ଟା ଶୋଇବା ଆବଶ୍ୟକ । ସେଭଳି ୫ରୁ ୧୦ ବର୍ଷର ଶିଶୁ ୯ରୁ ୧୨ ଘଣ୍ଟା ନିଦ ଶୋଇବା ଉଚିତ । କିନ୍ତୁ ପଢା ଚାପ ଏବଂ ସ୍କୁଲ ସମୟ ଯୋଗୁଁ ସେମାନେ ଠିକ ଭାବେ ଶୋଇପାରୁନାହାଁନ୍ତି । ତେଣୁ ସରକାର ସ୍କୁଲ ସମୟ ବଦଳାଇଦେବା ଉପରେ ବିଚାର କରିବା ଉଚିତ ବୋଲି ରାଜ୍ୟପାଳ ରମେଶ ବୈସ୍  ପ୍ରସ୍ତାବ ଦେଇଛନ୍ତି ।