ମହାରାଷ୍ଟ୍ରରେ ଶିବସେନାର ସରକାର ନେଇ ସମ୍ଭାବନା ! ଶରଦ ପାୱାର କହିଲେ କଂଗ୍ରେସ ସହ ଆଲୋଚନା ପରେ ନିଷ୍ପତି

ମୁମ୍ବାଇରେ ଶିବସେନା ଓ ଏନସିପିର ବୈଠକ; ଦିଲ୍ଲୀରେ କଂଗ୍ରେସର ଆଲୋଚନା

289

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଶିବସେନାର ସରକାର ନେଇ ସମ୍ଭାବନା । ଦ୍ୱିତୀୟ ବଡ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ରାଜନୈତିକ ମହଲରେ ହଲଚଲ ଦେଖାଦେଇଛି । ମୁମ୍ବାଇରେ ଶିବସେନା ଓ ଏନସିପିର ଚାଲିଛି ଘନ ଘନ ବୈଠକ । ଏନସିପିର ମଧ୍ୟ କୋର କମିଟି ବୈଠକ ବସିଛି । ସେପଟେ ଦିଲ୍ଲୀରେ କଂଗ୍ରେସର ବୈଠକ ବସିଛି । ଶିବସେନାକୁ, ଏନସିପି- କଂଗ୍ରେସ ସମର୍ଥନ କରିବେ କି ନାହିଁ ଏହି ବୈଠକରେ ନିଷ୍ପତି ହୋଇପାରେ ।

ସରକାର ଗଢିବା ପାଇଁ ବିଜେପି ଅକ୍ଷମତା ପ୍ରକାଶ କରିବା ପରେ ୫୬ ଆସନ ପାଇଥିବା ଶିବସେନାକୁ ଦ୍ୱିତୀୟ ବଡ ଦଳ ଭାବେ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ଆଜିି ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ସରକାର ଗଠନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଶିବସେନାକୁ କୁହାଯାଇଛି । ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସାମ୍ନାକୁ ଆସିଥିଲା । ଉଭୟ ବିଜେପି ଓ ଶିବସେନା ମେଂଟ କରି ନିର୍ବାଚନ ଲଢ଼ିଥିଲେ ବି, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇନଥିଲା । ଫଳରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି ।

 

ସେପଟେ, ଏନଡିଏରୁ ଓହରିପାରେ ଶିବସେନା । କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ଶିବସେନାର ଏକମାତ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିଲେ ସାୱନ୍ତ । ଇସ୍ତଫା ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟୁଇଟରେ ଲେଖିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ ଏକ ଫର୍ମୁଲା ହୋଇଥିଲା । କିନ୍ତୁ ଏବେ ଏହି ଫର୍ମୁଲାକୁ ମାନୁ ନାହିଁ ବିଜେପି । ଶିବସେନା ସବୁବେଳେ ସତ ସାଥିରେ ରହିଥାଏ । ତେଣୁ ଏଭଳି ସ୍ଥିତିରେ ଦିଲ୍ଲୀ ସରକାରରେ କାହିଁକି ରହିବେ । ସେଥିପାଇଁ ଇସ୍ତଫା ଦେଉଛନ୍ତି । ସମର୍ଥନ ପୂର୍ବରୁ ବିଜେପି ସହ ସମ୍ପର୍କ ଛିହ୍ନ କରିବାକୁ ସର୍ତ ରଖିଥିଲା ଏନସିପି । ବିଜେପି ସହ ସମ୍ପର୍କ ଛିହ୍ନ କରିବା ପରେ ଏନସିପି- କଂଗ୍ରେସ ଶିବସେନାକୁ ମହାରାଷ୍ଟ୍ର ସରକାର ଗଠନ ପାଇଁ ସମର୍ଥନ କରିବେ କି ନାହିଁ ବିଚାର କରାଯିବ ବୋଲି କହିଥିଲେ ବରିଷ୍ଠ ନେତା ।

Comments are closed.