କନକ ବ୍ୟୁରୋ : ଜେଲରେ ବନ୍ଦୀ ଥିବା କଏଦୀଙ୍କୁ ବି ମିଳିବ ବ୍ୟକ୍ତିଗତ ଋଣ । ଏନେଇ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ଜେଲରେ ବନ୍ଦ ଥିବା କଏଦୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ମିଳିବ । କଏଦୀ ମାନେ ଜେଲରେ କରୁଥିବା କାମ ବଦଳରେ ଏହି ଋଣ ପ୍ରଦାନ କରାଯିବ । ରାଜ୍ୟ ଗୃହମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲ କହିଛନ୍ତି, ୭ ପ୍ରତିଶତ ସୁଧ ହିସାବରେ ଏହି ଋଣ ଦିଆଯିବ । ପୁଣେର ୟରୱାଡା କେନ୍ଦ୍ରୀୟ ଜେଲରେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । ଦେଶରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ଲାଗୁ କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ଏହି ଋଣ ପାଇଁ କଏଦୀଙ୍କୁ କୌଣସି ଗ୍ୟାରେଣ୍ଟରର ଆବଶ୍ୟକତା ପଡିବ ନାହିଁ । ଏହା ବ୍ୟକ୍ତିଗତ ବଣ୍ଡ ଆଧାରରେ ପ୍ରଦାନ କରାଯିବ । ଜେଲରେ ଦିଆଯାଉଥିବା ମଜୁରୀ ଆଧାରରେ ଏହି ଋଣ ପ୍ରଦାନ କରାଯିବ । ଏହି ଘୋଷଣା ଦ୍ୱାରା ଜେଲରେ ବନ୍ଦୀ ଥିବା ୧୦୫୫ ଜଣ କଏଦୀ ଏହାର ଫାଇଦା ପାଇବେ । ଏହି ଋଣ ବଳରେ କଏଦୀ ମାନେ ନିଜ ଓକିଲଙ୍କ ପାରିଶ୍ରମିକ ଦେବା ସହ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ କରିପାରିବେ ।