ମହାରାଷ୍ଟ୍ରରେ ଚାଲିଛି ରାଜନୀତିର ମହାଭାରତ । ରାତାରାତି ସରକାର ଗଠନ ପଛରେ କାହାର ରହିଛି ହାତ? ରାଜନୈତିକ ଏହି ଷଡଯନ୍ତ୍ରରେ ଶରଦଙ୍କ ନାଁକୁ ନେଇ ଚର୍ଚ୍ଚା

395

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବିଜେପି-ଏନସିପି ସରକାର ଗଠନ ପଛରେ କାହାର ହାତ ରହିଛି । କାହାର ଇସାରାରେ ଅଜିତ ପାୱାର ବିଜେପିକୁ ସମର୍ଥନ ଦେଇଛନ୍ତି । ଏସବୁ ପ୍ରଶ୍ନର ଉତର ଖୋଜୁ ଖୋଜୁ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ନାଁ କୁ ନେଇ ଜୋର ଧରିଲା ଚର୍ଚ୍ଚା । ହେଲେ ଶରଦ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ବିଜେପିକୁ ସମର୍ଥନ ଦେବା ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତି, ଦଳୀନିଷ୍ପତି ନୁହେଁ । ଏହା ପଛରେ ମୋର ହାତ ରହିଥିବା କହିବା ଭୁଲ ।

ମହାରାଷ୍ଟ୍ରରେ ରାତାରାତି ସରକାର ଗଠନ ପଛରେ କାହାର ହାତ ?କିଏ ରଚିଛି ଏହି ରାଜନୈତିକ ଷଡଯନ୍ତ୍ର ?ଅଜିତ ପାୱାର ବିଜେପିକୁ ସମର୍ଥନ ଦେବା ପଛର ନାୟକ କିଏ? ଅଜିତଙ୍କ ନିଷ୍ପତି ପଛରେ ନାହାନ୍ତି ତ ଶରଦ ପାୱାର? ଏସବୁ ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ସମର୍ଥନ ଦେଇଛନ୍ତି ଅଜିତ ପାୱାର । ହେଲେ ଅଜିତଙ୍କ ନିଷ୍ପତି ପଛରେ ଶରଦ ରହିଥିବା ନେଇ ହେଉଥିବା ଚର୍ଚ୍ଚାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଶରଦ କହିଛନ୍ତି, ବିଜେପିକୁ ଅଜିତ ସମର୍ଥନ ଦେବା ପଛରେ ତାଙ୍କ ହାତ ନାହିଁ । ଏଥିସହ ଶରଦ କହିଛନ୍ତି, ଆଗକୁ ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବସେନା ସହିତ ରହି ସରକାର ଗଠନ କରିବ ଏନସିପି । ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ରଖି ଏନସିପି ସୁପ୍ରିମୋ କହିଛନ୍ତି, ମହାରଷ୍ଟ୍ରରେ ବିଜେପିକୁ ସମର୍ଥନ ଦେବା ଅଜିତ ପାୱାରଙ୍କ ନିଷ୍ପତି । ଏହା ଏନସିପିର ନିଷ୍ପତି ନୁହେଁ । ଅଜିତଙ୍କ ଏପରି ନିଷ୍ପତି ପଛରେ ଶରଦ ପାୱାର ରହିଥିବା କଥା କହିବା ଭୁଲ ବୋଲି କହିଛନ୍ତି ଶରଦ ।

ମହାରାଷ୍ଟ୍ରରେ ବିଜେପି-ଏନସିପି ମେଂଟ ସରକାର ଗଠନ କରିବା ପରେ ଅଙ୍ଗୁଳି ଉଠିଥିଲା ଏନସିପି ସୁପ୍ରିମୋ ଶରଦ । ଶରଦଙ୍କ ଜାଣତରେ ଏହା ହୋଇଛି କି ନାହିଂ ସେନେଇ ଚାଲିଲା ଚର୍ଚ୍ଚା ଆଲୋଚନା । କାରଣ ଗୃହରେ ମୋଦି ଏନସିପିକୁ ପ୍ରଶଂସା କରିଥିଲେ ଏବଂ ଶରଦ ପାୱାର ମଧ୍ୟ ମୋଦିଙ୍କୁ ଭେଟିସାରିଥିଲେ । ତେବେ ଏସବୁ କଳ୍ପନା ଜଳ୍ପନା ଉପରୁ ପରଦା ହଟାଇଛନ୍ତି ଶରଦ । ସ୍ପଷ୍ଟ କରିଦେଇଛନ୍ତି, ବିଜେପିକୁ ସମର୍ଥନ ଦେବା ଅଜିତଙ୍କ ନିଜସ୍ୱ ନିଷ୍ପତି । ଏହା ପଛରେ ତାଙ୍କର ନିର୍ଦ୍ଦେଶ ନାହିଁ କି ସହମତି ନାହିଁ ।