‘ଇଡି’ ଯୋଗୁ ମହାରାଷ୍ଟ୍ରରେ ନୂଆ ସରକାର। ବିଧାନସଭାରେ ଫଡନାଭିସ କାହିଁକି କହିଲେ ଏମିତି ପଢନ୍ତୁ …

279

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭାରେ ବିଶ୍ୱାସମତ ଜିତିବା ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମହାବିକାଶ ଅଘାଡି ମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି । ବିଧାନସଭାରେ ଭୋଟିଂ ଚାଲିଥିବା ବେଳେ ଇଡି-ଇଡିର ନାରା ଲଗାଯାଇଥିଲା ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।

ବିଧାନସଭାରେ ସେ କହିଛନ୍ତି, ହଁ ‘ଇଡି’ କାରଣରୁ ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରିଛି । ଇଂରାଜୀ ଅକ୍ଷର ‘ଇ’ରୁ ଏକନାଥ ସିନ୍ଦେ ଏବଂ ‘ଡି’ ରୁ ଦେବେନ୍ଦ୍ର ଫଡନାଭିସ । ତେଣୁ ‘ଇଡି’ କାରଣରୁ ନୂଆ ସରକାର ଗଠନ ହୋଇପାରିଛି ।

ସୂଚନା ଅନୁସାରେ ଏକନାଥ ସିନ୍ଦେ ସରକାର ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛି । ତାଙ୍କ ସମର୍ଥନରେ ୧୬୪ଟି ଭୋଟ ପଡିଥିବା ବେଳେ ବିରୋଧରେ ୯୯ଟି ଭୋଟ ପଡିଛି । ବିଶ୍ୱାସମତ ଚାଲିଥିବା ବେଳେ ଜୋରଦାର ହଙ୍ଗାମା ହୋଇଥିଲା । ଯେଉଁ ସମୟରେ ବିଧାୟକ ପ୍ରତାପ ସରନାୟକ ସିନ୍ଦେ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ ସେତେବେଳେ ଉଦ୍ଧବ ସମର୍ଥକ ଇଡି-ଇଡିର ନାରା ଲଗାଇଥିଲେ । ଏହାକୁ ନେଇ ଦେବେନ୍ଦ୍ର ପ୍ରତିଆକ୍ରମଣ କରିଥିଲେ ।

ସେ କହିଥିଲେ, ମୁଁ କହିଥିଲି ମୁଁ ନିଶ୍ଚୟ ଫେରିବି । ତେବେ ଯେତେବେଳେ ଏହା କହିଥିଲି ଲୋକେ ମଜା ଉଡାଇଥିଲେ । ମୁଁ ଆଜି ପୁଣି ଫେରିଛି । ମେ ସହ ସାଥୀ ଏକନାଥ ସିନ୍ଦେ ମଧ୍ୟ ଫେରିଛନ୍ତି । ମୁଁ ସେମାନଙ୍କ ଉପରେ କୌଣସି ପ୍ରତିଶୋଧ ନେବି ନାହିଁ ଯେଉଁମାନେ ମୋର ମଜାକ ଉଡାଇଥିଲେ । ଦେବେନ୍ଦ୍ର ଫଡନାଭିସ ଆହୁରି ମଧ୍ୟ କହିଛନ୍ତି, ୨୦୧୯ରେ ମୋ ମେଣ୍ଟକୁ ସରକାର ଗଠନ ପାଇଁ ସବୁ ପ୍ରକାର ସଂଖ୍ୟା ମିଳିଥିଲା ତେବେ ତାଙ୍କୁ ସରକାରରୁ ଦୂରରେ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ସହ ଆମେ ଶିବସେନା ସହ ସରକାର ଗଠନ କରିପାରିଛୁ । ଆମେ ଜଣେ ସଚ୍ଚା ଶିବସୈନିକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛୁ ।