ମହାରାଷ୍ଟ୍ରରେ ବନ୍ୟାର ମହାତାଣ୍ଡବ, ମାଟି ଅତଡା ଖସି ୩୬ ମୃତ, ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି

158

କନକ ବ୍ୟୁରୋ : ମୌସୁମୀ ଜନିତ ବର୍ଷା ମହାରାଷ୍ଟ୍ରରେ ତାଣ୍ଡବ ମଚାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ସ୍ଥିତି ଦେଖା ଦେଇଛି । ନଦୀଗୁଡିକରେ ବିପଦ ସଂକୁଳ ଅବସ୍ଥାରେ ଜଳ ପ୍ରବାହିତ ହେଉଛି । ରାସ୍ତାରେ ଏତେ ପରିମାଣରେ ଜଳ ପ୍ରବାହିତ ହେଉଛି କି ବିଭିନ୍ନ ସ୍ଥାନକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଲଗାତର ହେଉଥିବା ବର୍ଷା କାରଣରୁ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍କଳନ ହୋଇଛି । ଭୂଷ୍କଳନ ଫଳରେ ଜିଲ୍ଲାର ପାହାଡିଆ ଅଞ୍ଚଳରେ ୩୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଗତରାତିରେ ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ମାଟି ଅତଡା ଖସିବା ଫଳରେ ଗୋଟିଏ ସ୍ଥାନରୁ ୩୨ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଗୋଟିଏ ସ୍ଥାନରୁ ୪ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ଏନଡିଆରଏଫ୍ ଟିମ ଦ୍ୱାରା ୧୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ପଶ୍ଚିମ ନୌସେନା ପକ୍ଷରୁ ମହାରାଷ୍ଟ୍ର ରାୟଗଡ ଜିଲ୍ଲାର ରତ୍ନଗିରୀର ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନୌସେନାର ୭ ଟି ଟିମ୍ ସଡକ ପଥରେ ରାୟଗଡ ଓ ରତ୍ନଗିରୀ ଜିଲ୍ଲାରେ ପହଂଚି ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି ।

କହିରଖୁ କି ଦେଶରେ କରୋନା ସଂକ୍ରମଣରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଥିରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ଦେଶର ସବୁଠାରୁ ଅଧିକ କରୋନା ଜନିତ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । କରୋନା ପରିଚାଳନାରେ ରାଜ୍ୟର ଆର୍ଥିକ ସ୍ଥିତି ପୁରା ଭାଙ୍ଗିପଡିଥିବା ବେଳେ ଏବେ ବନ୍ୟା ରାଜ୍ୟପାଇଁ ବେଡି ଉପରେ କୋରଡା ମାଡ ସଦୃଶ ଦାଉ ସାଧିଛି ।