ମହାରାଷ୍ଟ୍ର : ଟମାଟୋ ଚାଷୀଙ୍କୁ ଚଡକ । ବଜାରରେ କିଲୋପ୍ରତି ୨ଟଙ୍କା, ନାଗପୁର ମୁମ୍ବାଇ ରାସ୍ତାରେ ଢାଳିଦେଲେ ଟନ ଟନ ଟମାଟୋ

209

କନକ ବ୍ୟୁରୋ : ଦେଶରେ ଗୋଟେପଟେ ଚାଷୀମାନେ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଦାବିକରି ୯ ମାସରୁ ଉର୍ଦ୍ଧହେବ ଆନ୍ଦୋଳନରେ ବସିଛନ୍ତି । ସେପଟେ ଆଜି ମହାରାଷ୍ଟ୍ରର ଟମାଟୋ ଚାଷୀଙ୍କ ପରିସ୍ଥିତି ଦେଖିଲେ ସହାୟକ ମୂଲ୍ୟର ଆବଶ୍ୟକତା କେତେ ଯେ ଜରୁରୀ ତାହା ଅନୁମାନ କରାଯାଇ ପାରିବ ।

ମହାରାଷ୍ଟ୍ରର ନାସକ ଓ ଔରଙ୍ଗାବାଦ ଠାରେ ଆଜି ଦେଖିବାକୁ ମିଳିଛି କିଛି ଏମିତି ଚିତ୍ର । ଚାଷୀମାନେ ଉଚିତ ଦାମ ନପାଇ ରାସ୍ତାରେ ଟନ ଟନ ଟମାଟୋ ଢାଳି ଦେଇଛନ୍ତି । ସ୍ଥାନୀୟ ପୋଲିସର ସୂଚନା ମୁତାବକ ଆଜି ସକାଳେ ଚାଷୀମାନେ ଟ୍ରାକ୍ଟର ଓ ଟ୍ରଲି ସହାୟତାରେ ଟନ ଟନ ଟମାଟୋ ଆଣି ରାସ୍ତାରେ ଢାଳିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି ବଜାରରେ ଖୁଚୁରା ବେପାରୀମାନେ ଟମାଟୋ କିଲୋପ୍ରତି ୨ ଟଙ୍କାରୁ ଅଧିକ ଦେବାକୁ ରାଜି ହେଉ ନାହାନ୍ତି । ଅନ୍ୟପଟେ ଏହାକୁ ମହଜୁତ କରିବାକୁ ସେମାନଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା ନାହିଁ ।

ଅନ୍ୟପଟେ ଶିଲଗାଁଓ ଥାନା ପ୍ରଭାରୀ ସହାୟକ ପୋଲିସ ନିରିକ୍ଷକ ରବିନ୍ଦ୍ର ଖାଣ୍ଡେକର କହିଛନ୍ତି କି କୃଷକମାନେ ରାସ୍ତାରେ ଟମାଟୋ ଢାଳି ପ୍ରତିବାଦ କରିଛନ୍ତି । ଫଳରେ କିଛି ସମୟ ପାଇଁ ଗାଡି ମୋଟରଗୁଡିକ ଅଟକି ରହିଥିଲା । ଏହାସହ ଉଚିତ୍ ଦର ଦାବିକରି ଚାଷୀମାନେ ଧାରଣା ଦେଇଥିବା ଖାଣ୍ଡେକର କହିଛନ୍ତି ।

 

କହିରଖୁ କି ଦେଶରେ ଖାଦ୍ୟ ସାମଗ୍ରୀର ଅଭାବ ରହିଛି । ହେଲେ ଏହାର ଫାଇଦା ଚାଷୀମାନଙ୍କୁ ମିଳିପାରୁ ନାହିଁ । ଯେଉଁ ଟମାଟୋକୁ କିଲୋପ୍ରତି ୨ ଟଙ୍କାରେ ଚାଷୀମାନେ ବିକ୍ରିକରିପାରୁ ନାହାନ୍ତି, ସେହି ଟମାଟୋକୁ ଘରୋଇ ଶୀତଳ ଭଣ୍ଡାରରେ ରଖି ମାଲିକମାନେ ପରବର୍ତ୍ତୀ ସମୟରେ କୋଟି କୋଟି ଟଙ୍କା ଲାଭ କରୁଛନ୍ତି । ଏ ସବୁରୁ ରକ୍ଷା ପାଇବାକୁ ହେଲେ ସରକାର କୃଷି ଉତ୍ପାଦିତ ସମସ୍ତ ସାମଗ୍ରୀର ଗ୍ୟାରେଣ୍ଟିଯୁକ୍ତ ସହାୟକ ମୂଲ୍ୟ ଘୋଷଣା କରିବା ନିହାତି ଆବଶ୍ୟକ ।