କନକ ବ୍ୟୁରୋ : ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ ଏବେ ବିଜେପି ସମର୍ଥନରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ହେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଏବେ ବି ବିବାଦ ଲାଗି ରହିଛି । କିଛିଦିନ ତଳେ ଉଦ୍ଧବ ସିନ୍ଦେଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ କି ସାହାସ ଅଛି ତ ନିର୍ବାଚନ ଲଢି ସରକାର ଗଠନ କର । ଏବେ ଏହାର ପ୍ରତି ଉତ୍ତରରେ ସିନ୍ଦେ ବି ଉଦ୍ଧବଙ୍କୁ ଖୁଲା ଚ୍ୟାଲେଞ୍ଜ କରିଛନ୍ତି । ସିନ୍ଦେ କହିଛନ୍ତି କି, ତାଙ୍କ ସମର୍ଥନରେ ଥିବା ୪୦ ବିଧାୟକଙ୍କ ମଧ୍ୟରୁ ଆଗାମୀ ନିର୍ବାଚନରେ ଜଣେ ବି ଯଦି ବିଧାୟକ ପରାଜିତ ହୁଅନ୍ତି ତେବେ ସେ ରାଜନୀତି ଛାଡିଦେବେ ।

Advertisment

ସିନ୍ଦେ ତାଙ୍କ ସମର୍ଥକ ବିଧାକୟ ଅବ୍ଦୁଲ ସତାରଙ୍କର ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କି ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ସମର୍ଥନରେ ୫୦ ଜଣ ବିଧାୟକ ବିଜୟୀ ହେବେ । ଏହା ମଧ୍ୟରୁ ଗୋଟିଏ ଆସନ କମିଲେ ସେ ରାଜନୀତି ଛାଡିଦେବେ ବୋଲି ଉଦ୍ଧବଙ୍କୁ ଖୁଲା ଚ୍ୟାଲେଞ୍ଜ ଦେଇଛନ୍ତି । ଏହା ସହ ଆଗାମୀ ନିର୍ବାଚନରେ ଶିବସେନା ବିଦ୍ରୋହୀ ଗୋଷ୍ଠୀ ଓ ବିଜେପି ମେଣ୍ଟ ୨୦୦ ଆସନରେ ବିଜୟୀ ହେବ ବୋଲି ସିନ୍ଦେ ଦାବି କରିଛନ୍ତି ।

ସିନ୍ଦେ ଶିବସେନାର ହାତ ଛାଡିବା ପରେ ଶିବସେନାର କିଛି ବିଧାୟକ ଓ ନେତା ସିନ୍ଦେଙ୍କ ପ୍ରତି ବିଭିନ୍ନ ସଭା ସମିତିରେ ଅଶାଳୀନ ମନ୍ତବ୍ୟ ଦେଉଥିବା ବେଳେ ଏବେ ସିନ୍ଦେ ଏହା ଉପରେ ଜବାବ ରଖିଛନ୍ତି । ସିନ୍ଦେ କହିଛନ୍ତି କି, ଯେଉଁ ବିଧାୟକମାନେ ଉଦ୍ଧବଙ୍କ ହାତ ଛାଡି ମୋତେ ସମର୍ଥନ ଦେଇଛନ୍ତି ସେହିମାନେ ପ୍ରକୃତରେ ବାଲା ସାହେବ ଓ ଆନନ୍ଦ ଦିଘେଙ୍କ ଆଦର୍ଶରେ ପ୍ରେରିତ ।