ମହାରାଷ୍ଟ୍ର ୱାକଫ୍ ବୋର୍ଡ ଜମି ମାମଲାରେ ୭ଟି ସ୍ଥାନରେ ଇଡିର ଚଢାଉ, ନୱାବ ମଲ୍ଲିକଙ୍କ ପରିସରରେ ରହିଛି ଏହି ମନ୍ତ୍ରଣାଳୟ

204

କନକ ବ୍ୟୁରୋ : ମହାରାଷ୍ଟ ୱାକଫ୍ ବୋର୍ଡ ଜମି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଇଡି ତରଫରୁ ଗୁରୁବାର ଦିନ ପୁଣେର ୭ ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ମାମଲା ୱାକଫ୍ ବୋର୍ଡ ସମ୍ବୋଧିତ ଜମିର ବେଆଇନ ବିକ୍ରି ସହ ଜଡିତ ରହିଛି । ସବୁଠାରୁ ବଡକଥା ୱାକଫ୍ ବୋର୍ଡ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକଙ୍କ ମନ୍ତ୍ରଣାଳୟ ପରିସରଭୂକ୍ତ ।

ଇଡିର କାର୍ଯ୍ୟାନୁଷ୍ଠାନ ଏଭଳି ସମୟରେ ହୋଇଛି କି ଯେତେବେଳେ ଏନସିପି ନେତା ତଥା କ୍ୟାବିନେଟ ମନ୍ତ୍ରୀ ନୱାବ ମଲ୍ଲିକ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଓ ଯାଂଚ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଲଗାତର ଟାର୍ଗେଟ୍ କରିବାରେ ଲାଗିଛନ୍ତି । କେବଳ ସେତିକି ନୁହେଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ନାଭିସଙ୍କ ବିରୋଧରେ ବି ନୱାବ ମଲ୍ଲିକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସେପଟେ ଆଜି (ଗୁରୁବାର) ନୱାବ ମଲ୍ଲିକଙ୍କ ଜ୍ୱାଇଁ ସମୀର ଖାନ ଦେବେନ୍ଦ୍ର ଫଡର୍ନାଭିସଙ୍କ ବିରୋଧରେ ମାନହାନୀ ମକଦ୍ଦମା କରି ତାଙ୍କ ପାଖକୁ ଆଇନଗତ ନୋଟିସ ପଠାଇଛନ୍ତି । କହିରଖୁ କି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଫଡର୍ନାଭିସ କହିଥିଲେ କି ନୱାବ ମଲ୍ଲିକଙ୍କ ଜ୍ୱାଇଁଙ୍କ ଘରୁ ଡ୍ରଗ୍ସ ଜବତ୍ ହୋଇଛି । ଏହି ବୟାନ ବିରୋଧରେ ସମୀର ଖାନ ଫଡର୍ନାଭିସଙ୍କ ନିକଟକୁ ଆଇନଗତ ନୋଟିସ ପଠାଇଛନ୍ତି ।