କରୋନା ସଂକ୍ରମଣ ଉପରମୁହାଁ : ମହାରାଷ୍ଟ୍ର ଓ ଦିଲ୍ଲୀରେ ବିସ୍ଫୋଟକ ସ୍ଥିତି । ୨୪ ଘଂଟାରେ ମହାରଷ୍ଟ୍ରରେ ରେକର୍ଡ ୪ ହଜାର ୮ ଶହ ୪୧ ମାମଲା । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହଜାର ପାର୍

295

କନକ ବ୍ୟୁରୋ : ଦେଶରେ ଏବେ କରୋନା ଉପରମୁହାଁ । ସାରା ଦେଶରେ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ଆଡକୁ ମୁହାଁଇଥିବା ବେଳେ ଦେଶରେ ମହାରାଷ୍ଟ୍ର ଏବଂ ଦିଲ୍ଲୀର କରୋନା ସ୍ଥିତି ରହିଛି ଚିନ୍ତାଜନକ । ଗତ ୨୪ ଘଂଟାରେ କେବଳ ମହାରାଷ୍ଟ୍ରରେ ପ୍ରାୟ ୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୭ ହଜାର ୭୪୧କୁ ବୃଦ୍ଧି ହୋଇଛି । ସେହିପରି ଗତ ୪୮ ଘଂଟାରେ ୧୦୯ ଜଣ ଲୋକଙ୍କ ଜୀବନ ନେଇଛି କରୋନା । ମହାରାଷ୍ଟ୍ରରେ ଏବେ ୬୩ ହଜାର ୩୪୨ ଜଣଙ୍କର ଚିକିତ୍ସା ଚାଲିଛି । ୭୭ ହଜାର ୪୫୩ ଜଣ ସୁସ୍ଥ ହୋଇଘରକୁ ଫେରିଲେଣି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୩ ହଜାର ୬୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ସେପଟେ ମହାରାଷ୍ଟ୍ରରେ ଚିନ୍ତାଜନକ ଅବସ୍ଥା ରହିଛି ମୁମ୍ୱାଇର । କେବଳ ମୁମ୍ୱାଇରେ କରୋନା ଆକ୍ରାନ୍ତ ସଂଖ୍ୟା ୭୦ ହଜାର ୮୭୮ କୁ ବୃଦ୍ଧି ହୋଇଛି । ଏହା ସହିତ କେବଳ ୪ ହଜାର ୬୨ ଜଣଙ୍କର ମୁମ୍ୱାଇରେ ମୃତ୍ୟୁ ହୋଇଛିି । ଏବେ ମୁମ୍ୱାଇରେ ୨୭ ହଜାର ୬୫୯ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୯୩୧ ହୋଇଛି । ସେପଟେ ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୭୩ ହଜାର ପାର କରିଛି ।

ଦେଶରେ ୨୦ ତାରିଖ ପରେ କରୋନା ସଂକ୍ରମଣ ସଂଖ୍ୟା ୯୨ ହଜାର ୫୭୩କୁ ବଢିଗଲାଣି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗୁରୁବାର ୧୬ ହଜାର ୯୨୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୭୩ ହଜାର ଅତିକ୍ରମ କରିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ ହଜାର ୮୯୪ କୁ ବୃଦ୍ଧି ହୋଇଛି ।