ମହାରାଷ୍ଟ୍ର ସଂକଟ ଭିତରେ ସିନ୍ଦେଙ୍କୁ ସନ୍ଦେସ: କହିଲେ ‘ଆସାମ ବଦଳରେ ବିଧାୟକଙ୍କୁ ପଶ୍ଚିମବଙ୍ଗ ପଠାଅ, ଭଲ ସେ ଚର୍ଚ୍ଚା କରିବି’

565

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ସଂକଟ ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଦ୍ରୋହୀ ବିଧାୟକଙ୍କୁ ନେଇ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି ବିଦ୍ରୋହୀ ବିଧାୟକଙ୍କୁ ଆସାମ ବଦଳରେ ପଶ୍ଚିମବଙ୍ଗ ପଠାନ୍ତୁ । ଏଠି ଆମେ ସେମାନଙ୍କର ଭଲ ଦେଖାରଖା କରିବୁ ।

ମମତା କହିଛନ୍ତି କି ଏବେ ମହାରାଷ୍ଟ୍ରରେ ଯାହା ଚାଲିଛି ତାହାଦ୍ୱାରା ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ତୁଟୁଛି । ଏହାସହ ସେ ସିନ୍ଦେଙ୍କୁ ସନ୍ଦେସ ଦେଇ କହିଛନ୍ତି କି ଆସାମ ସ୍ଥାନରେ ବିଦ୍ରୋହୀ ବିଧାୟକଙ୍କୁ ତୁରନ୍ତ ପଶ୍ଚିମବଙ୍ଗ ପଠାଇ ଦିଅ । ଏଠାରେ ସେମାନଙ୍କୁ ସସମ୍ମାନେ ରଖାଯିବ । ଏହାସହ ସେ ଲୋକତନ୍ତ୍ରକୁ ନେଇ ବିଜେପି ଯେଉଁ ପ୍ରଚାର କରୁଛି ତାର ଓଲଟା କାମରେ କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାର ଉପରେ ବିଜେପି କ୍ଷମତାର ବୋଲଡୋଜର ଚଢାଇ ଧ୍ୱଂସ କରିଦେବାକୁ ବସିଛି । ସେ ଉଦ୍ଧବ ଠାକରେଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି କି ଏବେ ମହାରାଷ୍ଟ୍ରରେ ସରକାର ଭାଙ୍ଗୁଛି କାଲି ଅନ୍ୟ ରାଜ୍ୟରେ ସମାନ ପରିସ୍ଥିତି ଦେଖାଦେବ ତେଣୁ ଏବେଠାରୁ ଅଣ ବିଜେପି ରାଜ୍ୟ ସରକାରମାନେ ସତର୍କ ରହିବାକୁ ସେ କହିଛନ୍ତି ।

କେବଳ ମମତା ବାନାର୍ଜୀ ନୁହଁନ୍ତି ବରଂ ସମାନ ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି ରାଷ୍ଟ୍ରପତି ନିର୍ବାଚନକୁ ଆଖିଆଗରେ ରଖି ବିଜେପି ମହାରାଷ୍ଟ୍ର ସରକାର ଭାଙ୍ଗିବାକୁ ଚକ୍ରାନ୍ତ କରିଛି । ବିଜେପି ପାଖରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକ ଭୋଟ ନଥିବାରୁ ସେ ମହାରାଷ୍ଟ୍ରରେ ସରକାର ଗଠନ କରି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଯୋଗାଡ କରିବାକୁ ହୀନ ଚକ୍ରାନ୍ତ କରୁଛି ।